ପୁରୀ,୪/୭ : ଚଳିତ ଥର ଧାର୍ଯ୍ୟ ସମୟର ବହୁ ପୂର୍ବରୁ ରଥ ଟଣା ଆରମ୍ଭ ହୋଇ ଗୁଣ୍ଡିଚା ସମ୍ମୁଖରେ ପହଞ୍ଚି ଯାଇଛି ତିନି ରଥ। ବିଶ୍ଵ ପ୍ରସିଦ୍ଧ ପୁରୀ ରଥ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ସୁରକ୍ଷା ବଳୟ ମଧ୍ୟରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ଵଜଙ୍କ ରଥଟଣା ଆରମ୍ଭ ହୋଇଥିଲା। ଏହା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା। ସମୟ ପୂର୍ବରୁ ତିନି ରଥ ସନ୍ଧ୍ୟା ୬ଟା ୪୦ରେ ଶେଷ ହୋଇ ଶରଧାବାଲି ଶ୍ରୀ ଗୁନ୍ଦିଚା ମନ୍ଦିରରେ ପହଞ୍ଚି ଯାଇଛି। ଏହି ପବିତ୍ର ଯାତ୍ରାରେ ଦେଶ ଓ ବିଦେଶର ଲକ୍ଷାଧିକ ଭକ୍ତ ସାମିଲ ହୋଇଛନ୍ତି।
ରଥ ଟଣା ପାଇଁ ଅପରାହ୍ନ ଚାରିଟା ସମୟ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଅପରାହ୍ନ ୨ଟା ୧୫ରୁ ଆରମ୍ଭ ହୋଇଛି । ଏହା ପୂର୍ବରୁ ସକାଳେ ପ୍ରଥମ ମଙ୍ଗଳ ଆଳତି, ତଡ଼ପ ଲାଗି, ମଇଲମ ଓ ଅବକାଶ ପରେ ଖେଚେଡି଼ ଭୋଗ ଶେଷ ହୋଇଥିଲା। ସକାଳ ଧୂପ ପରେ ଧାଡି ପହଁଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ଚକ୍ରବୀର ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ବିଜେ କରି ରଥାରୂଢ ହୋଇଥିଲେ। ପରେ ପରେ ବଡ଼ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ସେବାୟତଙ୍କ କାନ୍ଧରେ ଝୁଲି ଝୁଲି ଆସିଥିଲେ ପ୍ରଭୁ ଶ୍ରୀବଳଭଦ୍ର । ଘଣ୍ଟ, ଖୋଳ, କାହାଳୀର ତାଳେ ପ୍ରକମ୍ପିତ ହୋଇଥିଲା ଗଗନ ପବନ । ମହାପ୍ରଭୁଙ୍କ ଟିକକ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାକୁଳ ହୋଇ ଚାହିଁ ବସିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ଓ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସୁସଜ୍ଜିତ ଟାହିଆରେ ଝୁଲି ଝୁଲି ଧାଡି ପହଣ୍ଡିରେ ଆସି ରଥରେ ବିରାଜମାନ କରିଥିଲେ। ଛେରା ପହଁରା ମଧ୍ୟ ଯଥାଶୀଘ୍ର ଅନୁଷ୍ଠିତ ହୋଇଥିଲା। ପ୍ରଥମେ ରଥ ପ୍ରତିଷ୍ଠା, ଧାଡ଼ି ପହଣ୍ଡି, ଶ୍ରୀଜୀଉଙ୍କ ରଥାରୂଢ଼ ଓ ସୋଲ ଚିତା ଲାଗି ହୋଇଥିଲା।
ଏହା ପରେ ଜଗତଗୁରୁ ଶଙ୍କାରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ରଥ ଉପରେ ବୀଜେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ କରି ଏହା ପରେ ରଥ ପରିକ୍ରମା କରିଥିଲେ । ଏହି କ୍ରମରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାଲିଙ୍କିରେ ଆସି ସେବାୟତଙ୍କ ଗହଣରେ ତିନି ରଥରେ ଛେରା ପହଁରା କରିଥିଲେ। ପ୍ରଥମେ ତାଳଧ୍ଵଜ, ପରେ ଦର୍ପଦଳନ ଏବଂ ନନ୍ଦିଘୋଷ ରଥରେ ଗଜପତି ଦିବ୍ୟସିଂହ ଦେବ ସୁବର୍ଣ୍ଣ ଖଡ଼ିକାରେ ଛେରା ପହଁରା କରିଥିଲେ । ଏହା ପରେ ଚାରମାଳ ଫିଟା ହେବା ପରେ ତାଳଧ୍ୱଜରେ କଳା ଘୋଡ଼ା, ଦେବ ଦଳନରେ ଲୋହିତ ଘୋଡ଼ା ଓ ନନ୍ଦିଘୋଷରେ କଳା ଘୋଡ଼ା ବନ୍ଧା ଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ରଥ ଟଣା।