ଝାରସୁଗୁଡ଼ା଼ ,୧୧/୧୨: ୨୦୧୯ ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ ଏବଂ ତ୍ରୁଟିମୁକ୍ତ ରଖିବ ପାଇଁ ପ୍ରୟାସ ଜାରି ରହିଛି। ନିର୍ବାଚନ ସମ୍ପର୍କିତ ଏକ ଜରୁରୀ ବୈଠକ ଝାରସୁଗୁଡ଼ାଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରଘୁରାମ ଆୟେରଙ୍କ ସମେତ ୭ ଜିଲାର ଜିଲାପାଳ ଏବଂ ୧୫ ଉପ ଜିଲାପାଳ ଯୋଗ ଦେଇଛନ୍ତି। ଜିଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଝାରସୁଗୁଡ଼ା ସମେତ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବରଗଡ଼, ବଲାଙ୍ଗୀର, ସୋନପୁର ଆଦି ଜିଲାର ଜିଲାପାଳମାନେ ଯୋଗ ଦେଇଛନ୍ତି।
ସୂଚନା ଯୋଗ୍ୟ, ଗଣଶିକ୍ଷା ବିଭାଗ ତରଫରୁ କମ୍ ସଂଖ୍ୟକ ଛାତ୍ରୀଛାତ୍ର ଥିବା ସ୍କୁଲଗୁଡିକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ କରାଯାଇଛି। ଆଜିର ବୈଠକରେ ଜିଲାପାଳମାନେ ଏହି ସମସ୍ୟା ନେଇ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ସ୍କୁଲ ମିଶ୍ରଣ ହୋଇଥିଲେ ମଧ୍ୟ ପୁରୁଣା ସ୍କୁଲଗୁଡିକରେ ପୋଲିଂ ବୁଥ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି। ଏହି ପରିପ୍ରକ୍ଷୀରେ ଅନ୍ୟାନ୍ୟ ନିର୍ବାଚନୀ ସମସ୍ୟାନେଇ ଆଲୋଚନା କରାଯାଇଛି।