ପୁରୀ , ୩୧/୫: ଫନୀ ମାଡ଼ରେ ଦୋହଲିଯାଇଛି ପୁରୀ ହୋଟେଲ ଶିଳ୍ପର ଭିତ୍ତିଭୂମି। ପ୍ରାୟ ଅଳ୍ପବହୁତେ ସବୁ ହୋଟେଲ କ୍ଷତିଗ୍ରସ୍ତ ହୋଇଛି। ଇତିମଧ୍ୟରେ ବାତ୍ୟାକୁ ୨୯ ଦିନ ବିତିଲାଣି। ହେଲେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଛିଡା ହୋଇପାରି ନାହିଁ ହୋଟେଲ ଶିଳ୍ପ। ଧୀରେ ଧୀରେ ଅଣ୍ଟା ସଳଖୁଛି। ଏବେ ବି କେତେକ ହୋଟେଲରେ ବାତ୍ୟାର କ୍ଷତ ବାରି ହୋଇପଡୁଛି। ଯୁଦ୍ଧକାଳୀନ ଭିତ୍ତିରେ ଅନେକ ହୋଟେଲର ମରାମତି ଚାଲିଛି। ଅନ୍ୟପଟେ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା କିଛି ହୋଟେଲ ପର୍ଯ୍ୟଟକଙ୍କୁ ସେବା ଯୋଗାଇବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ପାଣି ସୁବିଧା ଉପଲବ୍ଧ ହୋଇଥିଲେ ମଧ୍ୟ କେତେକ ହୋଟେଲକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନାହିଁ। ୩ ତାରିଖ ସୁଦ୍ଧା ସବୁ ହୋଟେଲକୁ ବିଦ୍ୟୁତ୍ ଯୋଗାଣ ହୋଇଯିବ ବୋଲି ବିଭାଗ ପକ୍ଷରୁ ଅଶ୍ୱାସନା ଦିଆଯାଇଛି। ସେପଟେ ପୁରୀ ହୋଟେଲ ଶିଳ୍ପର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ହୋଟେଲ ଆସୋସିଏଶନ ପକ୍ଷରୁ ସରକାରଙ୍କ ପାଖରେ କେତେକ ଦାବି ଉପସ୍ଥାପନ କରାଯାଇଛି ।
ପର୍ଯ୍ୟଟନ ଶିଳ୍ପର ଭିତ୍ତିଭୂମି ହେଉଛି ହୋଟେଲ। ହୋଟେଲ ଶିଳ୍ପ ଯୋଗୁ ହିଁ ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇଥାଏ। ଦେଶ ବିଦେଶର ପର୍ଯ୍ୟଟକ ରାଜ୍ୟକୁ ଆସିଲେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ଅନେକ ଲୋକ ସ୍ବାବଲମ୍ବୀ ହୋଇଥାନ୍ତି। ହେଲେ ବାତ୍ୟାରେ ପ୍ରମୁଖ ସହର ପୁରୀ, ଭୁବନେଶ୍ୱର ଏବଂ କଟକରେ ହୋଟେଲ ଶିଳ୍ପ ପ୍ରଭାବିତ ହୋଇଛି। ଇତିମଧ୍ୟରେ ବହୁ ହୋଟେଲ ମରାମତି ପରେ ପର୍ଯ୍ୟଟକଙ୍କୁ ସେବା ଯୋଗାଇବା ଆରମ୍ଭ କରିଦେଇଥିବା ବେଳେ ଆଉ କେତେକ ହୋଟେଲରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଚାଲିଛି। ଖୁବ୍ଶୀଘ୍ର ହୋଟେଲଗୁଡ଼ିକ ପୂର୍ବାବସ୍ଥାକୁ ଫେରି ପୁରୀ ପର୍ଯ୍ୟଟନକୁ ଆଗେଇ ନେବାରେ ସହଯୋଗ କରିବେ ବୋଲି ପୁରୀ ହୋଟେଲ ସଂଘ ପକ୍ଷରୁ କୁହାଯାଇଛି।
ବାତ୍ୟାରେ ପୁରୀ ସହରର ହୋଟେଲ କ୍ଷୟକ୍ଷତି ଏବଂ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପୁରୀ ହୋଟେଲ ଆସୋସିଏଶନର ସମ୍ପାଦକ ରାଜକିଶୋର ପାତ୍ର କହିଛନ୍ତି, ବାତ୍ୟାରେ ପୁରୀ ସହରର ପ୍ରାୟ ୮୦୦ରୁ ଊର୍ଦ୍ଧ୍ୱ ଛୋଟବଡ ହୋଟେଲ, ଲଜିଂ ଆଦି ପ୍ରଭାବିତ ହୋଇଛି। ହୋଟେଲ ଶିଳ୍ପର ପ୍ରାୟ ୫୦୦ କୋଟି ଟଙ୍କା କ୍ଷତି ହୋଇଛି। ପର୍ଯ୍ୟଟନ ଶିଳ୍ପର ପ୍ରମୁଖ ଅଂଶ ହେଉଛି ହୋଟେଲ। କିନ୍ତୁ ପ୍ରାୟ ୧ ମାସ ହେବ ହୋଟେଲଗୁଡ଼ିକର ଭିତ୍ତିଭୂମି ଠିକ୍ ନ ଥିବାରୁ ଖଁା ଖଁା ରହିଛି। ବାତ୍ୟା ପରେ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ପୁରୀକୁ ପର୍ଯ୍ୟଟକ ଆସି ନ ଥିଲେ। ଏବେ ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହେଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ସବୁ ହୋଟେଲ ସେବା ଯୋଗାଇବାକୁ ସକ୍ଷମ ହୋଇନାହାନ୍ତି। ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ଅର୍ଥାତ୍ ୨୦୦ରୁ ଊର୍ଦ୍ଧ୍ୱ ହୋଟେଲ ଖୋଲିଗଲାଣି। ୨ ତାରିଖ ସୁଦ୍ଧା ୭୦ ପ୍ରତିଶତ ଏବଂ ରଥଯାତ୍ରା ପୂର୍ବରୁ ସବୁ ହୋଟେଲ ଖୋଲିଯିବ ବୋଲି ସମ୍ପାଦକ ପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ୬୦ରୁ ୭୦ ପ୍ରତିଶତ ହୋଟେଲକୁ ବିଦ୍ୟୁତ୍ ସଂଯୋଗ ଦିଆସରିଛି। ଆସନ୍ତା ୩ ତାରିଖ ମଧ୍ୟରେ ପୁରୀର ସବୁ ହୋଟେଲକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ସେସୁ ପୁରୀ ଡିଭିଜନ ପକ୍ଷରୁ କୁହାଯାଇଥିବା ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।
ସେହିପରି ହୋଟେଲ ସଂଘ ସରକାରଙ୍କ ପାଖରେ କେତେକ ଦାବି ମଧ୍ୟ ରଖିଛି। ଯୁଦ୍ଧକାଳୀନ ଭିତ୍ତିରେ ହୋଟଲଗୁଡ଼ିକୁ ବିଦ୍ୟୁତ୍ ଯୋଗାଣ, ଋଣ ପରିଶୋଧ ସମୟସୀମାର ଅବଧି ବୃଦ୍ଧି ସହ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେଶ ବାହାରେ ରୋଡ୍ ଶୋ, ବ୍ୟାପକ ମିଡିଆ କଭ୍ରେଜ, ଭିଡ଼ିଓ ଫିଲ୍ମ ପ୍ରସ୍ତୁତି ଭଳି ପ୍ରମୋଶନାଲ ଆକ୍ଟିଭିଟି କରିବାକୁ ସଂଘ ଅନୁରୋଧ କରିଛି। ଏହାଦ୍ୱାରା ପୁରୀକୁ ପୁଣି ପୂର୍ବପରି ପର୍ଯ୍ୟଟକମାନେ ଆସିପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି, ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବାକୁ ହେଲେ ହୋଟେଲ ଶିଳ୍ପକୁ ପୁଣି ଠିଆ ହେବାକୁ ପଡିବ। ପୁରୀକୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ହେଲାଣି। ଆଗକୁ ରଥଯାତ୍ରା ଏବଂ ପର୍ଯ୍ୟଟନ ଋତୁ ବି ଆସୁଛି। ତେଣୁ ହୋଟେଲ ଭିତ୍ତିଭୂମିକୁ ସଜାଡିବାରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଜେନା କହିଛନ୍ତି