ଭୁବନେଶ୍ଵର,୩୧/୫: କ୍ରମାଗତ ବିଜୟୀ ହୋଇ ପଞ୍ଚମ ଥର ରାଜ୍ୟର ଶାସନଭାର ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ମନ୍ତ୍ରିପରିଷଦରେ ୨୧ ଜଣଙ୍କୁ ମିଳିଛି ସ୍ଥାନ। ଏଥିରେ ଅନେକ ପୁରୁଣା ଚେହେରା ରହିଥିବା ବେଳେ ଅନେକ ନୂତନ ଚେହେରା ମଧ୍ୟ ରହିଛନ୍ତି। ମାତ୍ର ଏଥର ମନ୍ତ୍ରିମଣ୍ଡଳରେ ପିପିଲିର ଚର୍ଚ୍ଚିତ ବିଧାୟକ ପ୍ରଦୀପ ମହାରଥୀଙ୍କୁ ସ୍ଥାନ ମିଳିନି। ନବୀନ ସରକାର ଗଠନର ଦୁଇ ଦିନ ପରେ ମନ୍ତ୍ରିପଦ ନମିଳିବା ନେଇ ନିଜର ପ୍ରତିକ୍ରିୟା ଦେଇ ମହାରଥୀ ଯାତ୍ରା ଡାଏଲଗ ମାରିଛନ୍ତି।
ମନ୍ତ୍ରୀ ପଦ ମିଳିଲାନି ଆପଣ ହତାଶ କି ପ୍ରଶ୍ନର ଉତ୍ତରରେ ମହାରଥୀ କହିଛନ୍ତି ଯେ ମୁଁ ହତାଶ ପ୍ରେମିକ ନୁହେଁ। ମୋତେ ଲୋକେ ଭୋଟ୍ ଦେଇ ବିଧାୟକ କରିଛନ୍ତି। ମନ୍ତ୍ରୀ କରିବା ଦାୟିତ୍ଵ ମୁଖ୍ୟମନ୍ତ୍ରୀଙ୍କର। ମୁଁ ବିଧାୟକ ଭାବେ ନିଜର ନିର୍ବାଚନ ମଣ୍ଡଳୀର କାମ କରିବି। ଲୋକେ ମୋତେ କ୍ରମାଗତ ମୋତେ ବିଜୟୀ କରାଇ ବିଧାନସଭାକୁ ନିର୍ବାଚିତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ସରକାରରେ ପ୍ରଦୀପ ମହାରଥୀ କୃଷି ମନ୍ତ୍ରୀ ଥିଲେ। ମାତ୍ର ପିପିଲି ଗଣଦୁଷ୍କର୍ମ ମାମଲାରେ ତାଙ୍କର ସଂପୃକ୍ତି ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଅପବାଦ ଶୁଣିବାକୁ ପଡିଥିଲା। ଫଳରେ ମହାରଥୀଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡିଥିଲା। ସୂଚନାଯୋଗ୍ୟ, ମହାରଥୀ କ୍ରମାଗତ ସାତ ଥର ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।