ଆରମ୍ଭ ହେଲା ଖରିଫ ଧାନ କିଣା ପଞ୍ଜୀକରଣ, ଅଗଷ୍ଟ ୩୧ ସୁଦ୍ଧା କରନ୍ତୁ ଆବେଦନ

ଭୁବନେଶ୍ୱର, ୦୭/୦୮ : ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଆସିଛି ବଡ଼ ଖବର। ୨୦୨୬-୨୭ ଖରିଫ ଧାନ ସଂଗ୍ରହ ଋତୁ ପାଇଁ ଓଡ଼ିଶା ସରକାର ଆନୁଷ୍ଠାନିକ ଭାବେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅଗଷ୍ଟ ୬ରୁ ଆରମ୍ଭ ହୋଇଥିବା ଏହି ପଞ୍ଜୀକରଣ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଚାଲିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ପଞ୍ଜୀକରଣ କରିବାକୁ ସରକାର ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି। ଧାନ ବିକ୍ରି କରିବାକୁ ଇଚ୍ଛୁକ ଚାଷୀମାନେ ନିଜ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ରୁ ନୂଆ ପଞ୍ଜୀକରଣ ଫର୍ମ ସଂଗ୍ରହ କରି ସେହି କାର୍ଯ୍ୟାଳୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରିବାକୁ ପଡ଼ିବ।

ଆବେଦନପତ୍ର ସହ ଆଧାର କାର୍ଡର ଫଟୋକପି, ଆଧାର ସହ ସଂଯୁକ୍ତ କିମ୍ବା ବିକଳ୍ପ ମୋବାଇଲ୍ ନମ୍ବର, ଜମିର ରେକର୍ଡ ଅଫ୍ ରାଇଟ୍ସ (RoR) କିମ୍ବା ଜମି ସମ୍ବନ୍ଧୀୟ କାଗଜପତ୍ର, ବ୍ୟାଙ୍କ ପାସ୍‌ବୁକର ପ୍ରଥମ ପୃଷ୍ଠାର ନକଲ ଏବଂ ଫାର୍ମର ରେଜିଷ୍ଟ୍ରି କିମ୍ବା ଆଗ୍ରି ଷ୍ଟାକ୍ ନମ୍ବର ଦେବା ବାଧ୍ୟତାମୂଳକ ହୋଇଛି। ଭାଗଚାଷୀଙ୍କ କ୍ଷେତ୍ରରେ ଜମି ମାଲିକଙ୍କ ସମ୍ମତିପତ୍ର ଦାଖଲ କରିବା ସହ ଚାଷୀ ଏବଂ ଜମି ମାଲିକ ଉଭୟଙ୍କର ଆଧାର ଆଧାରିତ ଇ-କେୱାଇସି କରାଯିବ। ଏଥିପାଇଁ ଜମି ମାଲିକଙ୍କ ଉପସ୍ଥିତି ମଧ୍ୟ ବାଧ୍ୟତାମୂଳକ ରହିବ। ଏହାଛଡ଼ା ପଞ୍ଜୀକରଣ ଫର୍ମରେ ଚାଷୀଙ୍କୁ କେଉଁ ମାସ ଓ କେଉଁ ପକ୍ଷରେ ସରକାରଙ୍କୁ ଧାନ ବିକ୍ରି କରିବେ, ସେଥିର ଉଲ୍ଲେଖ କରିବାକୁ ପଡ଼ିବ।

ସରକାରଙ୍କ କହିବା ଅନୁଯାୟୀ, ଏହି ସରଳ ଓ ସ୍ୱଚ୍ଛ ପଞ୍ଜୀକରଣ ବ୍ୟବସ୍ଥା ଦ୍ୱାରା ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ଦ୍ରୁତ ଏବଂ ଦୁର୍ନୀତିମୁକ୍ତ କରାଯିବ। ତେଣୁ ଯେଉଁ ଚାଷୀମାନେ ଚଳିତ ଖରିଫ ଋତୁରେ ସରକାରଙ୍କୁ ଧାନ ବିକ୍ରି କରିବାକୁ ଇଚ୍ଛୁକ, ସେମାନେ ଶେଷ ତାରିଖ ପୂର୍ବରୁ ନିଶ୍ଚିତ ଭାବେ ପଞ୍ଜୀକରଣ କରିନେବାକୁ ପରାମର୍ଶ ଦିଆଯାଇଛି।