ଭୁବନେଶ୍ୱର, ୧୯/୦୮ : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନଠାରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ ଓ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି । ଆସନ୍ତା ଡିସେମ୍ବର ମାସରେ ଏସିବିର ନବନର୍ମିତ କୋଠା ଉଦଘାଟନ ହେବ ବୋଲି ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଅବକାରୀ, ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ସୂଚନା ଆଧାରରେ ଏସସିବି ନୂତନ କ୍ଲିନିକାଲ୍ କୋଠାର ନିର୍ମାଣକୁ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ନିର୍ମାଣ କାର୍ଯ୍ୟ, ଉଦଘାଟନ, ରୋଗୀ ସ୍ଥାନାନ୍ତର ନେଇ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ବୈଠକରୁ ଏସସିବି ନୂତନ କୋଠାର ଦୁଇଟି ବ୍ଲକ୍ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଥିବା ଜଣାପଡ଼ିଛି । ଅନ୍ୟ ଦୁଇଟି ବ୍ଲକ୍ ନିର୍ମାଣଧୀନ ରହିଛି । ଖୁବ ଶୀଘ୍ର ରୋଗୀ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ପାର୍କିଂ ସହ ଅନ୍ୟାନ୍ୟ ସୁବିଧାର କାମ ରହିଛି । ଏସସିବିକୁ ଭାରତର ଶ୍ରେଷ୍ଠ ଏବଂ ଏକ ବିଶ୍ୱସ୍ତରୀୟ ମେଡ଼ିକାଲ କଲେଜରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୁରୁଣା ବିଲ୍ଡିଂ ସହ ନୂଆ ମେଡିସିନ ବିଭାଗ ବିଲ୍ଡିଂ ନିର୍ମାଣ ହେବ । ଏନେଇ ଡିପିଆର ପ୍ରସ୍ତୁତ ହେବା ପରେ ପ୍ରାୟ ଆଠରୁ ଦଶ ଦିନ ପରେ ପୁଣି ଥରେ ବୈଠକ ସମୀକ୍ଷା ବୈଠକ ବସିବ । ସମ୍ଭବତଃ ଡିସେମ୍ବର ସୁଦ୍ଧା କ୍ଲିନିକାଲ ବିଲ୍ଡିଂ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଜାନୁଆରୀ ମାସରୁ ରୋଗୀ ସ୍ଥାନାନ୍ତର ଏବଂ ରୋଗୀ ସେବା ଆରମ୍ଭ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ କହିଛନ୍ତି । ସମୀକ୍ଷା ବୈଠକରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ, ଗୃହ ଓ ନଗର ଉନ୍ନୟନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।