ଦାରା ସିଂ ମୁକ୍ତି ପ୍ରକ୍ରିୟାରେ ବିଳମ୍ବ, କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୯/୦୮ : ବହୁ ଚର୍ଚ୍ଚିତ ଖ୍ରୀଷ୍ଟଧର୍ମ ପ୍ରଚାରକ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ଦୁଇ ପୁଅ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ମୁକ୍ତି ପ୍ରକ୍ରିୟା ବିଳମ୍ବକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ଦୀର୍ଘ ୨୬ ବର୍ଷ ପରେ ମଧ୍ୟ ଓଡ଼ିଶା ରାଜ୍ୟ ଦଣ୍ଡ ପୁନର୍ବିଚାର ବୋର୍ଡ ରିପୋର୍ଟ ଦାଖଲ କରିବାରେ ବିଳମ୍ବକୁ ନେଇ କୋର୍ଟ କ୍ଷୁବ୍ଧ ହୋଇଛନ୍ତି । ଅଗଷ୍ଟ ୧୭ ତାରିଖରେ ମାମଲାକୁ ସାମୟିକ ପାଇଁ ସ୍ଥଗିତ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖି ଅନୁରୋଧ କରାଯାଇଛି । ଦାରା ସିଂଙ୍କ ଠିକଣାର ଭେରିଫିକେସନ୍ ପାଇଁ ସରକାର ଆଫିଡେବିଟ୍ ଦାଖଲ ପାଇଁ ସମୟ ମାଗିଛନ୍ତି । ଯାହା ଉପରେ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ରାଜ୍ୟ ଦଣ୍ଡ ପୁନର୍ବିଚାର ବୋର୍ଡ ଦାରା ସିଂଙ୍କ ମୁକ୍ତି ପାଇଁ ରିପୋର୍ଟ ଦାଖଲ କରିଛନ୍ତି । ଜେଲରେ ଭଲ ବ୍ୟବହାର ପ୍ରଦର୍ଶନ ପାଇଁ ଜେଲ୍ କର୍ତ୍ତୃପକ୍ଷ ମଧ୍ୟ ଦାରା ସିଂଙ୍କ ମୁକ୍ତି ପାଇଁ ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଆଗାମୀ ଶୁଣାଣି ମଧ୍ୟରେ ରାଜ୍ୟ ସରକାର ରିପୋର୍ଟ ଦାଖଲ ନ କଲେ କୋର୍ଟ ତାଙ୍କ ପକ୍ଷରୁ ନିଷ୍ପତ୍ତି ନେବେ ବୋଲି କହିଥିବା ଓକିଲ ଏ ପି ସିଂହ କହିଛନ୍ତି ।

ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ପୁଅ ଫିଲିପ୍ ଓ ଟିମୋଥିଙ୍କ ହତ୍ୟା ମାମଲାରେ ଦାରା ସିଂ ଦୀର୍ଘ ୨୬ରୁ ଅଧିକ ସମୟ ହେବ ସଜା କାଟୁଛନ୍ତି । ଗତ ଜୁଲାଇ ୬ରେ ଓଡ଼ିଶା ରାଜ୍ୟ ଦଣ୍ଡ ପୁନର୍ବିଚାର ବୋର୍ଡ ଆଜୀବନ କାରାଦଣ୍ଡ ଭୋଗୁଥିବା ୫୬ ଜଣ କଏଦୀଙ୍କ ନିର୍ଦ୍ଧାରିତ ଅବଧି ପୂର୍ବରୁ ମୁକ୍ତି ପାଇଁ ଦାଖଲ ହୋଇଥିବା ଆବେଦନର ସମୀକ୍ଷା କରି ସୁପ୍ରିମକୋର୍ଟକୁ ଅବଗତ କରାଇଥିଲେ । ସ୍ୱାଧୀନତା ଦିବସ, ଅଗଷ୍ଟ ୧୫ ତାରିଖରେ ତାଙ୍କୁ ଜେଲରୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ ।

୧୯୯୯ ମସିହା ଜାନୁଆରୀ ୨୨-୨୩ ରାତିରେ କେନ୍ଦୁଝର ଜିଲ୍ଲା ମନୋହରପୁର ଗ୍ରାମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଥିଲା । ଜଣେ ଅଷ୍ଟ୍ରେଲିୟ ଖ୍ରୀଷ୍ଟ ଧର୍ମ‌ ପ୍ରଚାରକ ଥିଲେ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅ ଫିଲିପ (୧୦ ବର୍ଷ) ଓ ଟିମୋଥିଙ୍କ (୬ ବର୍ଷ)ଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିଲା । ରାତି ଅଧିରେ ଗାଡିରେ ଶୋଇଥିବାବେଳେ ସେମାନଙ୍କୁ ଜୀବନ୍ତ ଦଗ୍ଧ କରିଦିଆଯାଇଥିଲା । ୨୦୦୩ ମସିହାରେ ଭୁବନେଶ୍ୱରର ସିବିଆଇ ଅଦାଲତ ଦାରା ସିଂହଙ୍କୁ ମୃତ୍ୟୁଦଣ୍ଡ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ମହେନ୍ଦ୍ର ହେମ୍ବ୍ରମଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲେ । ଅନ୍ୟ ୧୧ ଜଣଙ୍କୁ ମୁକ୍ତ କରାଯାଇଥିଲା। କିନ୍ତୁ ୨୦୦୫ରେ ହାଇକୋର୍ଟ ଦାରା ସିଂଙ୍କ ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ । ୨୦୧୧ରେ ସୁପ୍ରିମ୍‌କୋର୍ଟ ହାଇକୋର୍ଟଙ୍କ ଆଦେଶକୁ କାଏମ୍ ରଖିଥିଲେ । ଗତବର୍ଷ ଏପ୍ରିଲ ୧୬ ତାରିଖରେ ଦାରା ସିଂଙ୍କ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମକୁ ମୁକ୍ତି ମିଳିସାରିଛି । ସେ ମଧ୍ୟ ଏହି ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ଜେଲରେ ଉତ୍ତମ ଆଚରଣ ପାଇଁ ମହେନ୍ଦ୍ର ହେମ୍ବ୍ରମଙ୍କୁ ମୁକ୍ତ କରାଯାଇଛି।