କୋହଲିଙ୍କୁ ରୋକିବାର ବାଟ ବତାଇଲେ କିମ୍ବଦନ୍ତୀ ସ୍ପିନର ‌ସେନ୍ ୱର୍ନ

ନୂଆଦିଲ୍ଲୀ: ରାଞ୍ଚି ଦିନିକିଆରେ ଶତକ ଅର୍ଜନ କରିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ଦିନିକିଆ କ୍ରିକେଟ୍‌ର ସର୍ବଶ୍ରେଷ୍ଠ ଖେଳାଳି ଭାବେ ବର୍ଣ୍ଣନା କରିଥିଲେ। ଏହାର ଦିନକ ପରେ କୋହଲିଙ୍କୁ ରୋକିବାର ସୂତ୍ର ବତାଇଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ‌ସେନ୍ ୱର୍ନ। କୋହଲିଙ୍କୁ ଆଉଟ୍ କରିବାକୁ ହେଲେ ଷ୍ଟମ୍ପ ଉପରେ ଆଦୌ ବଲ୍ ନରଖିବାକୁ ୱର୍ନ ବୋଲରମାନଙ୍କୁ ଆହ୍ବାନ କରିଛନ୍ତି। ଏହା ପରିବର୍ତେ ଅଫ୍ କିମ୍ବା ଲେଗ୍ ଷ୍ଟମ୍ପ୍‌ରେ ବୋଲିଂ କରି ସେହି ଅନୁସାରେ କ୍ଷେତ୍ରରକ୍ଷଣ ସଜାଇବାକୁ ସେ ପରାମର୍ଶ ଦେଇଛନ୍ତି। ୱର୍ନ କହିଛନ୍ତି, ବିରାଟଙ୍କୁ ତୁମେ ଲେଗ୍ କିମ୍ବା ଅଫ୍ ଷ୍ଟମ୍ପ୍‌ରେ ବୋଲିଂ କର। ଅଫ୍ ଷ୍ଟମ୍ପ୍‌ ବାହାରେ ବୋଲିଂ କରି ତଦନୁଯାୟୀ କ୍ଷେତ୍ରରକ୍ଷଣ ସଜାଅ। ତୁମେ ତାଙ୍କ ଷ୍ଟମ୍ପ୍‌ ଉପରକୁ ବୋଲିଂ କରି ପାରିବ ନାହିଁ। କାରଣ ଏଭଳି ସ୍ଥିତିରେ କୋହଲି ତୁମକୁ ଷ୍ଟମ୍ପ୍‌ର ଉଭୟ ପାର୍ଶ୍ବକୁ ଖେଳିବାର ଦକ୍ଷତା ରଖନ୍ତି। ମୁଁ ତାଙ୍କୁ ଏଭଳି ବୋଲିଂ କରି ସଫଳ ହୋଇଥିଲି। ଅଫ୍ ଷ୍ଟମ୍ପ୍ ବାହାରେ ବୋଲିଂ କରି ସ୍ଲିପ୍, ସଟ୍ କଭରରେ ଖେଳାଳି ରଖୁଥିଲି। ଫଳରେ ତାଙ୍କ ପାଇଁ ହାତ ଖୋଲା ସଟ୍ ଖେଳିବା ଆଦୌ ସହଜ ହେଉ ନଥିଲା। କୋହଲିଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଦିନିକିଆ ଖେଳାଳି ଘୋଷଣା କରିବାକୁ ବି ୱର୍ନ ଏହି ଅବସରରେ କୁଣ୍ଠା ପ୍ରକାଶ କରିଥିଲେ। ମୋତେ ଗତ ରାତିରେ ଏହି ପ୍ରଶ୍ନ ପଚରା ଯାଇଥିଲା। ଆଜି ବି ଏହି ପ୍ରଶ୍ନ ହେଉଛି। ବିରାଟ କଣ ଦିନିକିଆର ସର୍ବଶ୍ରେଷ୍ଠ ଖେଳାଳି? ସେ ତେନ୍ଦୁଲକର ଏବଂ ଲାରାଙ୍କଠାରୁ ଭଲ କି? ମୁଁ ଏହି ବିଷୟରେ ଏବେ ଚିନ୍ତା କରୁଛି। କିଏ ସର୍ବଶ୍ରେଷ୍ଠ ସେ ନିଷ୍ପତ୍ତିରେ ମୁଁ ଏବେ ପହଞ୍ଚି ପାରି ନାହିଁ ବୋଲି ୱର୍ନ କହିଥିଲେ।