ନୂଆଦିଲ୍ଲୀ,୧୮/୨ : ବିଜେପିରୁ ବହୁ ସମୟ ଧରି ନିଲମ୍ବିତ ଥିବା ସାଂସଦ କିର୍ତ୍ତି ଆଜାଦ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି । ବିହାରର ଦରଭଙ୍ଗାରୁ ଲୋକସଭା ସାଂସଦ ଆଜାଦ ଫେବୃଆରୀ ୧୫ରେ କଂଗ୍ରେସରେ ସାମିଲ ହେବାକୁ ଔପଚାରିକ ଘୋଷଣା କରିଥାନ୍ତେ, କିନ୍ତୁ ପୁଲୱାମା ଆକ୍ରମଣ ହୋଇଥିବା କାରଣରୁ ଏହାକୁ ଟାଳି ଦିଆଯାଇଥିଲା । ସେ ପୁଣି ଥରେ ଦିଲ୍ଲୀର ସାଂସଦ ରହିଲେ ।
କିର୍ତ୍ତି ଆଜାଦଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳର ସଦସ୍ୟତା ଦେଇଛନ୍ତି । ଦଳର ଏହି କାର୍ଯ୍ୟକ୍ରମ ସମୟରେ କିର୍ତ୍ତି ଆଜାଦ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ନେତାଙ୍କୁ ମିଥିଳା କ୍ଷେତ୍ରର ଟୋପି ପାଗ ପିନ୍ଧାଇ ସମସ୍ତଙ୍କର ଅଭିନନ୍ଦନ କରିଥିଲେ । ଏହି ଅବସରରେ ବିହାରର କଂଗ୍ରେସ ଅଧ୍ୟକ୍ଷ ମଦନ ମୋହନ ଝା, ଶକ୍ତି ସିଂହ, କଂଗ୍ରେସର ବରିଷ୍ଠ ନେତା ସଦାନନ୍ଦ ସିଂହ ମଧ୍ୟ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, କିର୍ତ୍ତିଙ୍କୁ କଂଗ୍ରେସରେ ସାମିଲ କରିବା ପାଇଁ ଏକ ମାସ ପୂର୍ବରୁ ନିଷ୍ପତି ନିଆଯାଇଥିଲା । ଏଥିପାଇଁ ଫେବୃଆରୀ ୧୫ ନିର୍ଦ୍ଧାରଣ କରାଯାଇଥିଲା । ତେବେ କିର୍ତ୍ତି ଆଜାଦ ଗତ ଲୋକସଭା ନିର୍ବାଚନରେ ବିଜେପି ଟିକେଟରୁ ବିହାରର ଦରଭଙ୍ଗାରୁ ନିର୍ବାଚିତ ହୋଇଥିଲେ । ସେ ବହୁ ସମୟ ଧରି ବିଜେପିରୁ ନିଲମ୍ବିତ ହୋଇଥିଲେ ।