କଟକରେ ଊର୍ଦ୍ଦୁ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ

କଟକ,୫/୧୨ : ରାଜ୍ୟର ସଂଖ୍ୟାଲଘୁ, ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦେବା ପାଇଁ ଓଡିଶା ଆସିବେ ସିଙ୍ଗାପୁରର ବିଶେଷଜ୍ଞ। ଏ ନେଇ ଆଇଟିିଇଇଏଫ୍‌ ସହ ଚୁକ୍ତି ହୋଇଛି। ଚୁକ୍ତି ଅନୁୟାୟୀ ଏହି ବିଶେଷଜ୍ଞ ଟିମ୍‌ ଓଡିଶା ଆସି ଆଇଟିଆଇ ତଥା ଡିପ୍ଲୋମା ଶିକ୍ଷାଲାଭ କରୁଥିବା ସଂଖ୍ୟାଲଘୁ ଏବଂ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ସହ ଆବଶ୍ୟକ ପଡିଲେ ଅଧିକ ଜ୍ଞାନକୌଶଳ ପାଇଁ ସେମାନଙ୍କୁ ସିଙ୍ଗାପୁର ନେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୌଲାନା ଆଜାଦ ଊର୍ଦ୍ଦୁ ବିଶ୍ବବିଦ୍ୟାଳୟ କଟକ ଶାଖାର ଶିଳାନ୍ୟାସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏପରି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୌଲାନା ଆଜାଦ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟର କଟକ ଶାଖା ପ୍ରତିଷ୍ଠା ଦ୍ବାରା ଉର୍ଦ୍ଦୁ ଭାଷା ମାଧ୍ୟମରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ବୈଷୟିକ ଶିକ୍ଷାଲାଭ କରିପାରିବେ। ଏହି କ୍ୟାମ୍ପସ ସ୍ଥାପନ ପାଇଁ ସରକାର ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ଏକର ଜାଗା ପ୍ରଦାନ କରିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ‌ହ‌େ‌ଷ୍ଟଲ ଏବଂ ଖେଳପଡିଆ ନିର୍ମାଣ ପାଇଁ ଆଉ ପାଞ୍ଚ ଏକର ଜାଗା ଯୋଗାଇ ଦେବେ। ସେହିପରି ରାଜ୍ୟରେ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ୪ଟି ସ୍ଥାନରେ ହଷ୍ଟେଲ ନିର୍ମାଣ ପାଇଁ ୧୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖ୍ରୀଷ୍ଟ ମହାବିଦ୍ୟାଳୟର ସଂଖ୍ୟାଲଘୁ ହଷ୍ଟେଲ, ସେମିନାର ହାଇସ୍କୁଲ ହଷ୍ଟେଲ, ବକ୍ସିବଜାରର ଏକ କମ୍ୟୁନିଟି ହଲ ଏବଂ ‌େଶଖବଜାର ଉର୍ଦ୍ଦୁ ଟ୍ରେନିଂ ସ୍କୁଲର ମହିଳା ‌ହଷ୍ଟେଲର ନୂତନ ଗୃହର ଶିଳାନ୍ୟାସ ସଭାସ୍ଥଳରେ ରହି କରିଥିଲେ।