ଭୁବନେଶ୍ୱର, ୨/୧୨: ବରିଷ୍ଠ କଂଗ୍ରେସ ବିଧାୟକ ନବ ଦାସ ଦଳ ଛାଡିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା ବେଳେ ଏ ମର୍ମରେ ପ୍ରତିକ୍ରିୟା ରଖିଛନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା। ନବ ଦାସ ଦଳରେ ଜଣେ ବରିଷ୍ଠ ନେତା ହୋଇଥିବା ବେଳେ ତାଙ୍କ କଥା ବିଶ୍ୱାସ ହେଉନାହିଁ ବୋଲି ଶ୍ରୀ ଜେନା କହିଛନ୍ତି। ସେ କହିଛନ୍ତି ଯେ ଡିସେମ୍ବର ୧୧ ପରେ ଭାରତରେ ରାଜନୈତିକ ଚିତ୍ର ବଦଳିବ। ବିଜେଡି ଭାଙ୍ଗିବ, ଏଥିରେ ସନ୍ଦେହ ନ ଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ନବ ଦାସ କଂଗ୍ରେସ ଛାଡିଲେ କେଉଁ ଦଳରେ ଯୋଗ ଦେବେ ସେ ନେଇ ବଡ଼ ପ୍ରଶ୍ନ ଉଙ୍କି ମାରିଥିବା ବେଳେ କେତେକ ରାଜନୀତି ସମୀକ୍ଷକ ବିଜେଡିରେ ମିଶିପାରନ୍ତି ବୋଲି ଆଗୁଆ ଅଙ୍କ କଷିଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ସେ ବିଜେଡିରେ ଯୋଗ ଦାନ କରିବେ କି ନାହିଁ, ତାହା ଦଳ ଛାଡିବା ପରେ ଜଣାପଡ଼ିବ। ତେବେ କେବଳ ନବ ଦାସ କଂଗ୍ରେସ ଛାଡିବେ ନାହିଁ। କଂଗ୍ରେସର ଏକାଧିକ ବିଧାୟକ ଦଳ ଛାଡିବେ କି ରହିବେ ସେମାନେ ଚିନ୍ତା କରୁଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।