ମୋହାଲି,୧୦/୩ : ୩୫୮ ରନର ସ୍କୋର ମଧ୍ୟ ଭାରତକୁ ବିଜୟୀ କରି ପାରି ନାହିଁ। ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନଙ୍କ ଦମରେ ଏଠାରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚରେ ୪ ଓ୍ଵିକେଟରେ ବିଜୟୀ ହୋଇଛି। ଏହା ସହିତ ଶିଖର ଧାଓ୍ଵନଙ୍କ ୧୪୩ ରନ ଫିକା ପଡ଼ି ଯାଇଛି। ଭ୍ରମଣକାରୀ ଦଳର ଏହି ବିଜୟ ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ୨-୨ ବରାବର ସ୍ଥିତିରେ ଆସି ପହଞ୍ଚିଛି। ମାର୍ଚ୍ଚ ୧୩ରେ ହେବାକୁ ଥିବା ମ୍ୟାଚ୍ ନିର୍ଣ୍ଣାୟକ ମୁକାବିଲା ହେବାକୁ ଯାଉଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶିଖର ଧାଓ୍ଵନ(୧୪୩) ଓ ରୋହିତ ଶର୍ମା(୯୫) ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍ ହରାଇ ୩୫୮ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ପିଟର ହ୍ୟାଣ୍ଡସ୍କମ୍ବ(୧୧୭), ଉସମାନ ଖାଓ୍ଵଜା(୯୧) ଓ ଆଷ୍ଟନ ଟର୍ଣ୍ଣର(୮୪) ବଳରେ ୪୭.୫ ଓଭରରେ ୬ ଓ୍ଵିକେଟ୍ ହରାଇ ସହଜରେ ବିଜୟ ହାସଲ କରି ନେଇଛି। ୪୩ ବଲରୁ ଧୂଆଁଧାର ବ୍ୟାଟିଂ କରି ୮୪ ରନ କରି ଦଳକୁ ବିଜୟୀ କରାଇଥିବା ଟର୍ଣ୍ଣର ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।
୩୫୯ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଅଷ୍ଟ୍ରେଲିଆକୁ ଆରମ୍ଭରୁ ୨ଟି ଝଟକା ଲାଗିଥିଲା। ୩ ରନ ସ୍କୋରରେ ଆରୋନ ଫିଞ୍ଚଙ୍କୁ ଆଉଟ୍ କରି ଭୁବନେଶ୍ଵର କୁମାର ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ୧୨ ରନ ସ୍କୋରରେ ସନ ମାର୍ଶଙ୍କୁ ବୋଲ୍ଡ କରି ବୁମରା ଭାରତକୁ ଦ୍ଵିତୀୟ ସଫଳତା ଦେଇଥିଲେ। ଏହା ପରେ ଉସମାନ ଖାଓ୍ଵଜା ଓ ପିଟର ହ୍ୟାଣ୍ଡସ୍କମ୍ବ ଅଷ୍ଟ୍ରେଲିଆର ମଙ୍ଗ ସମ୍ଭାଳିଥିଲେ। ଦୁଇ ବ୍ୟାଟସମ୍ୟାନ କ୍ରିଜରେ ଜମି ରହି ଦଳର ସ୍କୋରକୁ ଆଗକୁ ନେଇଥିଲେ। ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ଅଧିନାକ କୋହଲିଙ୍କ ସବୁ ରଣନୀତି ଫେଲ ମାରିଥିଲା। ଦୁଇ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ଚାପରେ ରଖିବାରେ ସଫଳ ହୋଇଥିଲେ।
ଖାଓ୍ଵଜା ଓ ପିଟର ହ୍ୟାଣ୍ଡସ୍କମ୍ବ ଦ୍ଵିତୀୟ ଓ୍ଵିକେଟରେ ୧୯୨ ରନର ବିଶାଳ ଭାଗିଦାରୀ ଦଳର ବିଜୟ ପାଇଁ ପଥ ପରିଷ୍କାର କରିଥିଲେ। ଶେଷରେ ୩୪ତମ ଓଭରରେ ଭାରତକୁ ବୁମରା ତୃତୀୟ ସଫଳତା ଦେଇଥିଲେ। ଦଳୀୟ ସ୍କୋର ୨୦୪ରେ ଉସମାନ ଖାଓ୍ଵଜା ୯୧ ରନରେ ଆଉଟ୍ ହୋଇ ଶତକରୁ ବଞ୍ଚିତ ହୋଇଥିଲେ। ସେ ୯୯ ଲବରୁ ୭ ଚୌକା ମାରିଥିଲେ। ଏହି କ୍ରମରେ ୨୨୯ସ୍କୋରରେ ମ୍ୟାକ୍ସଓ୍ଵେଲ ୧୩ ବଲରୁ ଦ୍ରୁତ ୨୩ ରନ କରି ପାଭିଲିୟନ ଫେରିଥିଲେ।
ଏହା ପରେ ଭାରତୀୟ ଦଳ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯଥା ସମ୍ଭବ ଉଦ୍ୟମ କରିଥିଲା। ମାତ୍ର ଆଷ୍ଟନ ଟର୍ଣ୍ଣର ଅପରାଜିତ ୮୪ ରନର ପାଳି ଖେଳି ଭାରତ ହାତରୁ ବିଜୟ ଛଡ଼ାଇ ନେଇଥିଲେ। ଟର୍ଣ୍ଣର ୪୩ ବଲରୁ ଧୂଆଁଧାର ବ୍ୟାଟିଂ କରି ୫ ଚୌକା ଓ ୬ ଛକା ଜରିଆରେ ଏହି ୮୪ ରନ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ୪୭.୫ ଓଭରରେ ୬ ଓ୍ଵିକେଟ୍ ହରାଇ ୩୫୯ ରନର ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଥିଲା।
ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ ଟି ସଫଳତା ପାଇଥିବା ବେଳେ ଭୁବନେଶ୍ଵର କୁମାର, ବିଜୟ ଶଙ୍କର ଓ ୟୁଜବେନ୍ଦ୍ର ଚହଲ ତିନୋଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।