ସିଡନୀ ଟେଷ୍ଟ: ଅଷ୍ଟ୍ରେଲିଆ ଫଲୋଅନ୍‌, ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ

ସିଡନୀ,୬/୧: ଭାରତ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ଫଲୋଅନ ହୋଇଛି। ସ୍ଥାନୀୟ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ଏହି ନିର୍ଣ୍ଣାୟକ ଟେଷ୍ଟରେ ଭାରତ ଟସ୍‌ ଜିତି ପ୍ରଥମ ଇନିଂସରେ ୧୬୭.୨ ଓଭରରେ ୭ ଉଇକେଟ ହରାଇ ୬୨୨ ରନ କରି ପାଳି ଘୋଷଣା କରିଥିଲା। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ଆରମ୍ଭ କରି ପ୍ରଥମ ଇନିଂସରେ ୧୦୪.୫ ଓଭରରେ ୩୦୦ ରନ କରି ଅଲଆଉଟ ହୋଇଥିଲା। ଫଳରେ ୩୨୨ ରନର ବୃହତ୍‌ ଅଗ୍ରଣୀ ହାସଲ କରିଥିବା ଭାରତ ଅଷ୍ଟ୍ରେଲିଆକୁ ଫଲୋଅନ ଦେଇଛି। ଫଲୋଅନ ହେବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଚତୁର୍ଥ ଦିନ ଚା’ ପାନ ବିରତି ବେଳକୁ ଅଷ୍ଟ୍ରେଲିଆ ଖରାପ୍‌ ଆଲୋକ ଯୋଗୁ ଖେଳ ବାଧାପ୍ରାପ୍ତ ହେବା ବେଳକୁ ୪ ଓଭରରେ କୌଣସି ଉଇକେଟ ନ ହରାଇ ୬ ରନ ସଂଗ୍ରହ କରିଥିଲା। ତେବେ ଏହାପରେ ବର୍ଷା ହେବା ଫଳରେ ଆଉ ଖେଳ ସମ୍ଭବ ହୋଇ ପାରି ନ ଥିଲା। ଓପନର ଉସମାନ ଖ୍ବାଜା ଓ ମାର୍କସ ହାରିସ ଯଥାକ୍ରମେ ୪ ଓ ୨ ରନ କରି ଅପରାଜିତ ରହିଛନ୍ତି। ମ୍ୟାଚ୍‌ ଆଉ ଗୋଟିଏ ଦିନ ବାକିଥିବା ବେଳେ ଅଷ୍ଟ୍ରେଲିଆ ୧୦ ଉଇକେଟ ହାତରେ ରଖି ଏବେ ୩୧୬ ରନ ପଛରେ ପଡିଛି।

ଖରାପ୍‌ ଆଲୋକ ଓ ଦିନ ସାରା ରହି ରହି ବର୍ଷା ହୋଇଥିଲା। ଫଳରେ ଚତୁର୍ଥ ଦିନରେ କେବଳ ୨୫.୨ ଓଭର ଖେଳି ସମ୍ଭବ ହୋଇପାରିଥିଲା। ଘରୋଇ ମାଟିରେ ୩୦ ବର୍ଷ ପରେ ଅଷ୍ଟ୍ରେଲିଆ ପ୍ରଥମଥର ପାଇଁ ଫଲୋଅନ୍‌ର ସମ୍ମୁଖୀନ ହୋଇଛି। ୧୯୯୮ରେ ସିଡନୀରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ଫଲୋଅନ ଦେଇଥିଲା। ତେବେ ୨୦୦୫ରେ ଅଷ୍ଟ୍ରେଲିଆ ଶେଷଥର ପାଇଁ ନାଟିଂହାମ ଟେଷ୍ଟରେ ଘରୋଇ ଇଂଲଣ୍ଡଠାରୁ ଫଲୋଅନ ହୋଇଥିଲା। ବର୍ଷା ଓ ଖରାପ୍‌ ଆଲୋକ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ଏହି ମ୍ୟାଚ୍‌ ଜିତିବାକୁ ହେଲେ ଭାରତକୁ ସୋମବାର ଅନ୍ତିମ ଦିବସରେ ୧୦ଟି ଉଇକେଟ ହାସଲ କରିବାକୁ ପଡିବ। ତେବେ ୪ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଥିବାରୁ ଏହି ମ୍ୟାଚ୍‌ ଡ୍ର ହେଲେ ମଧ୍ୟ ଭାରତ ସିରିଜ ହାତେଇବ। ଏଥିସହ ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ପାଇଁ ସିରିଜ ଜିତି ଇତିହାସ ସୃଷ୍ଟି କରିବ।