ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ,୧୩ / ୭ : ମହାପ୍ରଭୁ ମହାମାନବୀୟ ଲୀଳା ସାରି ଆଷାଢ ଶୁକ୍ଳ ଦଶମୀ ଦିନ ଶ୍ରୀମନ୍ଦିରକୁ ବାହୁଡିଛନ୍ତି । ତେବେ ରତ୍ନବେଦୀକୁ ବାହୁଡିବା ପୂର୍ବରୁ ଆଜି ଏକାଦଶୀରେ ବଡଦିଅଁ ବଡଦାଣ୍ଡରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି । ଏଥିପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ତଥା ଦେଶ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଙ୍ଗମ ହୋଇଛି । ତିନି ଦିଅଁଙ୍କ ଏହି ଅପୂର୍ବ ବେଶ ଦେଖି ନିଜକୁ ଧନ୍ୟ ମଣୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। କାହିଁ କେଉଁ ଦୂରରୁ ଶ୍ରଦ୍ଧାଳୁ ଚକା ନୟନର ଏହି ଅଲୌକିକ ଦୁଲର୍ଭ ବେଶ ଦେଖିବା ପାଇଁ ଧାଇଁ ଆସିଛନ୍ତି ପୁରୀ ବଡ଼ ଦାଣ୍ଡକୁ।

ରଥଯାତ୍ରାରେ ସୁନାବେଶ ମୁଖ୍ୟ ଆକର୍ଷଣ ହୋଇଥାଏ । ମହାପ୍ରଭୁଙ୍କୁ ଅଧରପଣା ଲାଗି ହେବା ପୂର୍ବରୁ ମହାପ୍ରଭୂଙ୍କ ଦୁଲର୍ଭ ସୁନାବେଶ ନୀତି ଅନୁଷ୍ଠିତ ହୋଇଥାଏ । ପ୍ରଭୁ ଶ୍ରୀଜଗନ୍ନାଥ, ମା ସୁଭଦ୍ରା ଓ ବଳଭଦ୍ର ସୁନା ଅଳଙ୍କାରରେ ମଣ୍ଡିତ ହୋଇଥାନ୍ତି । ଏହାକୁ ବଡ ଚଢାଉ ବେଶ ମଧ୍ୟ କୁହାଯାଏ । ତେବେ ରଥାରୂଢ ମହାପ୍ରଭୁଙ୍କ ସୁନାବେଶ ନୀତିକାନ୍ତି ସରିଛି । ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ତିନି ଠାକୁର । ଏହି ଅବସରରେ ପୁରୀ ବଡଦାଣ୍ଡ ଚଳଚଞ୍ଚଳ ରହିଛି । ସୁନାର କିରୀଟ, ତାବିଜମାଳି, ବାହାଡାମାଳି, ହରିଡା କଦମ୍ବ ମାଳି, ଶ୍ରୀପୟର, ଶ୍ରୀଭୁଜ, ଓଡିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ ଆଦି ଆଭୂଷଣରେ ତିନି ଠାକୁର ସଜେଇ ହୋଇଛନ୍ତି । ବିଶ୍ଵନିୟନ୍ତାଙ୍କ ଏହି ଅପୂର୍ବ, ଅଲୌକିକ ସୁନାବେଶ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ।

ଏହା ପୂର୍ବରୁ ରଥ ଉପରେ ଚତୁର୍ଦ୍ଧା ମୂରତୀଙ୍କ ନୀତିକାନ୍ତି ସଂପନ୍ନ ହୋଇଥିଲା। ଏହା ପରେ କଡା ସୁରକ୍ଷା ବଳୟରେ ସ୍ଵର୍ଣ୍ଣ ଅଳଙ୍କାର ରଥକୁ ଅଣାଯାଇଥିଲା। ଏହା ପରେ ଦଇତାପତି, ସେବାୟତ ମହାପ୍ରଭୁଙ୍କୁ ମହଣ ମହଣ ସୁନାରେ ସଜେଇଥିଲେ। ଏବେ ତିନି ଠାକୁର ଲକ୍ଷାଧିକ ଭକ୍ତଙ୍କୁ ରଥ ଉପରୁ ଦୁର୍ଲଭ ସୁନାବେଶରେ ଦର୍ଶନ ଦେଉଛନ୍ତି।

SBI AD