ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ରାଗିଲେ ପ୍ରେମିକା ଇଶା ଗୁପ୍ତା

ମୁମ୍ବାଇ, ୧୨/୧: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମୟ ଏବେ ଭଲ ନାହିଁ। କରଣ ଜୋହରଙ୍କ ଟକ୍‌ ଶୋ’ ‘କଫି ଓ୍ବିଥ୍‌ କରଣ’ରେ ଭାଗ ନେବାପରଠୁ ପାଣ୍ଡ୍ୟାଙ୍କ ଇମେଜ୍‌ ଏବେ ଖରାପ ହୋଇଯାଇଛି। ସାଥୀ ଖେଳାଳି ଲୋକେଶ ରାହୁଲଙ୍କ ସହ ଶୋ’ରେ ଭାଗ ନେଇଥିବା ପାଣ୍ଡ୍ୟା ମହିଳାଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ଫଶି ଯାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡିଛନ୍ତି ଉଭୟ ପାଣ୍ଡ୍ୟା ଓ ରାହୁଲ। ଏହାସହ ପାଣ୍ଡ୍ୟାଙ୍କ ପୂର୍ବତନ ପ୍ରେମିକା ତଥା ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ମଧ୍ୟ ଏନେଇ ତାଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି। ସେ ଏତେ ରାଗିଯାଇଛନ୍ତି ଯେ, ପାଣ୍ଡ୍ୟାଙ୍କ ନାଁ ଶୁଣିଲେ ନିଜ ସ୍ଥାନରୁ ଉଠି ପଳାଉଛନ୍ତି। ନିକଟରେ ମୁମ୍ବାଇରେ ଗେଟ ଡାର୍ଟିର ଲଞ୍ଚିଂ ସମୟରେ କିଛି ଗଣମାଧ୍ୟମ ପ୍ରତିନିଧି ଇଶାଙ୍କୁ ପାଣ୍ଡ୍ୟାଙ୍କ ସମ୍ପର୍କରେ ପଚାରିଥିଲେ। ଇଶା ରାଗିଯାଇ ପାଣ୍ଡ୍ୟାଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ, ଏହାପୂର୍ବରୁ ଇଶା ଓ ପାଣ୍ଡ୍ୟା ବିଭିନ୍ନ ପାର୍ଟିରେ ଏକତ୍ର ଦେଖିବାକୁ ମିଳୁଥିଲା।