ଜୁଏଲାରୀ ଦୋକାନ ସମ୍ମୁଖରୁ ୨୫ ଲକ୍ଷ ଟଙ୍କାର ଗହଣା ଲୁଟ୍‌

ଭୁବନେଶ୍ୱର, ୨୯/୩: ରାଜଧାନୀରେ ଗତ ସପ୍ତାହକ ମଧ୍ୟରେ ଏକାଧିକ ସ୍ଥାନରୁ ଲୁଟ୍‌ ହୋଇଛି। ଏହିସବୁ ଘଟଣାରେ ପୋଲିସକୁ ସଫଳତା ମିଳି ନ ଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ଇନ୍ଦ୍ରଧନୁ ମାର୍କେଟରେ ଥିବା ମା’ ଗୌରୀ ଜୁଏଲାରୀ ଦୋକାନ ଆଗରୁ ବଡ଼ଧରଣର ଲୁଟ୍‌ ହୋଇଛି। ଦୋକାନ ମାଲିକ ଲକ୍ଷ୍ମୀଧର ସୁବୁଦ୍ଧି ବ୍ୟାଗ୍‌ରେ ସୁନାଗହଣା ଭର୍ତ୍ତିକରି ଘରକୁ ଯିବା ପାଇଁ ବାହାରିଥିଲେ। ତଳେ ବ୍ୟାଗ୍‌ ଥୋଇ ଦୋକାନରେ ତାଲା ପକାଉଥିବା ବେଳେ ଲୁଟେରାମାନେ ବାଇକ୍‌ରେ ଆସି ବ୍ୟାଗ୍‌କୁ ଝାମ୍ପିନେଇ ଚମ୍ପଟ୍‌ ମାରିଛନ୍ତି। ଏ ନେଇ ଲକ୍ଷ୍ମୀଧର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ଆଧାରରେ ଦୋକାନରେ ଲାଗିଥିବା ସିସିଟିଭିକୁ ଯାଞ୍ଚ୍‌ କରୁଛି। ତେବେ ଲୁଟ୍‌ ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବା ଜଣାପଡିଛି।