ତୁର୍କୀ ଏୟାରଲାଇନ୍ସ ବିମାନରେ ନିଆଁ ; ବର୍ତ୍ତିଲେ ୨୭୭ ଯାତ୍ରୀ

ନୂଆଦିଲ୍ଲୀ, ୧୨/୦୫ : ନେପାଳର ରାଜଧାନୀ କାଠମାଣ୍ଡୁସ୍ଥିତ ତ୍ରିଭୁବନ ବିମାନବନ୍ଦରରେ ଅବତରଣ କରୁଥିବାବେଳେ ଏହାର ପଛପଟ ଚକରେ ନିଆଁ ଲାଗିଥିଲା। ଦମକଳ ବାହିନୀ ତୁରନ୍ତ ନିଆଁକୁ ଲିଭାଇଥିଲେ। ତେବେ ବିମାନରେ ଥିବା ୨୭୭ ଯାତ୍ରୀ ଓ ବିମାନ କର୍ମଚାରୀଙ୍କୁ ଜରୁରୀକାଳୀନ ପ୍ରସ୍ଥାନ ଦ୍ବାର ଦେଇ ଉଦ୍ଧାର କରାଯାଇଥିବା ଜଣାପଡିଛି। ଏହି ପ୍ରକ୍ରିୟାରେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ବିମାନଟି ରନ୍‌ୱେରେ ଅଟକି ଥିବାରୁ କିଛି ଘଣ୍ଟା ପାଇଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ଏଥିଯୋଗୁଁ ଏୟାର ଇଣ୍ଡିଆ, ଆରବ ଏୟାରଲାଇନ୍ସ, ଫ୍ଲାଏଦୁବାଇ, ଡ୍ରୁକ୍‌ ଏୟାର ବିମାନଗୁଡିକୁ କାଠମାଣ୍ଡୁ ସହର ଉପରେ ଚକ୍କର କାଟିବାକୁ ପଡିଥିଲା। ଦୁର୍ଘଟଣାଗ୍ରସ୍ତ ବିମାନଟି ତୁର୍କୀର ଇସ୍ତାନବୁଲରୁ କାଠମାଣ୍ଡୁ ଯାତ୍ରା କରୁଥିଲା। ବିମାନ ଚକରେ ନିଆଁ ଲାଗିଥିବା ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି।