ପୁରୀ ରଥ ଯାତ୍ରା ପ୍ରସାରଣର ନିଲାମ ନିଷ୍ପତ୍ତିକୁ ନରସିଂହଙ୍କ ବିରୋଧ

ଭୁବନେଶ୍ଵର,୧୦/୬: ଅର୍ଥ ଉପାର୍ଜନ ପାଇଁ ଏଥର ଶ୍ରୀମନ୍ଦିର ପ୍ରଶାସନ ବିଶ୍ଵ ପ୍ରସିଦ୍ଧ ପୁରୀ ରଥ ଯାତ୍ରାର ପ୍ରସାରଣ ନିଲାମ କରିବାକୁ ଯାଉଛନ୍ତି। ଏହା ଅନୁଯାୟୀ କେବଳ ଗୋଟିଏ ଚ୍ୟାନେଲକୁ ମିଳିବ ପ୍ରସାରଣର ଅଧିକାର। ଏହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଧର୍ମ ନାମରେ ଶ୍ରୀମନ୍ଦିର ପ୍ରଶାସନ ବେପାର କରିବାକୁ ଯାଉଛି। ପୁରୀ ରଥ ଯାତ୍ରା ପ୍ରସାରଣର ନିଲାମ ନିଷ୍ପତ୍ତିକୁ କଡ଼ା ବିରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ନେତ ତଥା ବିଧାୟକ ନରସିଂହ ମିଶ୍ର।

ନରସିଂହ ମିଶ୍ର କହିଛନ୍ତି ଯେ, ଦେଶ ଏବେ ସମାଜବାଦ ଅର୍ଥନୀତିକୁ ବାଏ ବାଏ କରି ପୁଞ୍ଜିବାକୁ ଆପଣାଇଛି। ସେହି ଚିନ୍ତାଧାରାରେ ରଥ ଯାତ୍ରା ପ୍ରସାରଣର ନିଲାମ ଉଦ୍ୟମ ହେଉଛି। ଧର୍ମ ନାଁରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏବେ ଅର୍ଥ ଉପାର୍ଜନ କରିବାକୁ ଆଗଭର ହେଉଛି। ଧର୍ମ ନାଁରେ ଯିଏ ଅର୍ଥ ଉପାର୍ଜନ କରେ ମୁଁ ତାକୁ ବିରୋଧ କରେ।

ଏହା ସହିତ ପୌର ନିର୍ବାଚନ ନେଇ ଦୃଢ ମତ ପୋଷଣ କରିଛନ୍ତି ନରସିଂହ ମିଶ୍ର। ସେ କହିଛନ୍ତି ଯେ, ପୌର ନିର୍ବାଚନ ୫ ବର୍ଷରେ ହେବା କଥା। ଚଳିତ ବିଧାନସଭା ଅଧିବେଶନରେ ଏନେଇ ସଂଶୋଧନ କରାଯିବା ଦରକାର। ଏହା ବ୍ୟତୀତ ବିଧାନସଭା ବଜେଟ୍ ଅଧିବେଶନ ନେଇ ସେ କହିଛନ୍ତି ଯେ, କାମଚଳା ବଜେଟ୍ ଜୁଲାଇ ୩୧ ପରେ ଅକାମୀ ହୋଇଯିବ। କାରଣ ଜୁଲାଇ ୩୧ ପୂର୍ବରୁ ପୂର୍ଣ୍ଣାଙ୍ଗ ବଜେଟ୍ ଅନୁମୋଦନ କରିବାକୁ ବାଧ୍ୟ।

ଉଲ୍ଲେଖଯୋଗ୍ୟ, ପ୍ରତ୍ୟେକ ବର୍ଷ ବିଭିନ୍ନ ଗଣମାଧ୍ୟମ ରଥ ଯାତ୍ରାର ସିଧା ପ୍ରସାରଣ କରିଆସୁଥିଲେ। ମାତ୍ର ଏଥର ଶ୍ରୀମନ୍ଦିର ପ୍ରଶାସନ ପ୍ରସାରଣର ନିଲାମ କରିବାକୁ ଯାଉଛନ୍ତି। ଯେଉଁ ଚ୍ୟାନେଲ ଅଧିକ ଅର୍ଥ ଦେବ ତାକୁ ଦେବସ୍ନାନ ପୂର୍ଣ୍ଣିମାଠୁ ନେଇ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପ୍ରସାରଣର ଅଧିକାର ମିଳିବ।