ବିଶ୍ଵ କପରେ ଇତିହାସ ରଚିଲେ ରୋହିତ, ମାରିଲେ ଚତୁର୍ଥ ଶତକ

ବର୍ମିଂହାମ,୨ /୭ : ହିଟମ୍ୟାନ ନାମରେ ପ୍ରସିଦ୍ଧ ରୋହିତ ଶର୍ମା ଆଇସିସି ବିଶ୍ଵକପ-୨୦୧୯ରେ ବାଂଲାଦେଶ ବିପକ୍ଷରେ ଚତୁର୍ଥ ଶତକ ହାସଲ କରି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ସେ ବିଶ୍ଵକପର ଗୋଟିଏ ସଂସ୍କରଣରେ ସର୍ବାଧିକ ଶତକ ହାସଲ କରିବା ମାମଲାରେ କୁମାର ସାଙ୍ଗାକାରାଙ୍କ ରେକର୍ଡ ୪ ଶତକର ସମକକ୍ଷ ହୋଇଛନ୍ତି। ଏମିତି ସଫଳତା ହାସଲ କରିବାରେ ସେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହେବାର ଉପଲବ୍ଧି ହାସଲ କରିଛନ୍ତି। ଅନ୍ୟପଟେ ୫୦୦ରୁ ଅଧିକ ରନ କରିବାରେ ଦ୍ଵିତୀୟ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ଶ୍ରୀଲଙ୍କାର ବ୍ୟାଟସମ୍ୟାନ କୁମାର ସାଙ୍ଗାକାରା ୨୦୧୫ ବିଶ୍ଵ କପରେ ୪ ଶତକ ମାରିବାର ରେକର୍ଡ କରିଥିଲେ। କେବଳ ଏତିକି ନୁହେଁ ଏହା ରୋହିତଙ୍କ ବିଶ୍ଵ କପରେ ପଞ୍ଚମ ଶତକ।

ରୋହିତ ୯୦ ବଲରୁ ନିଜର ଦିନିକିଆ କ୍ୟାରିୟରରେ ୨୬ତମ ଶତକ ପୂରଣ କରିଥିଲେ। ଏହା ପରେ ସେ ୯୩ ବଲରୁ ୭ ଚୌକା ଓ ୫ ଛକା ଜରିଆରେ ୧୦୪ ରନ କରି ପାଭିଲିୟନ ଫେରିଥିଲେ। ସୌମ୍ୟ ସରକାର ରୋହିତଙ୍କୁ ଆଉଟ୍ କରି ଦଳକୁ ବହୁ ପ୍ରତୀକ୍ଷିତ ସଫଳତା ଦେଇଥିଲେ।

୫୦୦ ରନ ପୂରଣ କରିବାରେ ତୃତୀୟ ବ୍ୟାଟସମ୍ୟାନ

ବିଶ୍ଵ କପ-୨୦୧୯ରେ ୫୦୦ରୁ ଅଧିକ ରନ କରିବାରେ ରୋହିତ ଶର୍ମା ତୃତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ଏହା ପୂର୍ବରୁ ଅଷ୍ଟ୍ରେଲିଆର ଡେଭିଡ ଓ୍ଵାର୍ଣ୍ଣର ଓ ଆରୋନ ଫିଞ୍ଚ ୫୦୦ରୁ ଅଧିକ ରନ କରିଥିଲେ। ଓ୍ଵାର୍ଣ୍ଣର ୮ଟି ମ୍ୟାଚରୁ ୫୧୬ ରନ କରିତିବା ବେଳେ ଆରୋନ ଫିଞ୍ଚ ୮ ମ୍ୟାଚରୁ ୫୦୪ ରନ କରିଛନ୍ତି। ରୋହିତ ଏବେ ଟୂର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ହୋଇଛନ୍ତି। ଓ୍ଵାର୍ଣ୍ଣର ଦ୍ଵିତୀୟ ଓ ଫିଞ୍ଚ ତୃତୀୟରେ ଅଛନ୍ତି।

ଗତ ୭ ମ୍ୟାଚରେ ୪ ଶତକ

ରୋହିତ ଶର୍ମା ଏବେ ଚତ୍ମକାର ଫର୍ମରେ ଅଛନ୍ତି। ସେ କ୍ରିକେଟ୍ ମହାକୁମ୍ଭରେ ୭ ମ୍ୟାଚରୁ ୪ ଶତକ ଅର୍ଜନ କରିଛନ୍ତି। ଟୂର୍ଣ୍ଣାମେଣ୍ଟରେ ସେ ପ୍ରଥମ ଶତକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କରିଥିଲେ। ସେ ଉକ୍ତ ମ୍ୟାଚରେ ୧୨୨ରନର ଅପରାଜିତ ପାଳି ଖେଳିଥିଲେ। ଏହା ପରେ ପାକିସ୍ତାନ ବିପକ୍ଷରେ ଦ୍ଵିତୀୟ ଶତକ ହାସଲ କରିଥିଲେ। ଉକ୍ତ ମ୍ୟାଚରେ ରୋହିତ ୧୪୦ ରନ କରିଥିଲେ। ଗତ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ୧୦୨ ରନ କରି ତୃତୀୟ ଶତକ ମାରିଥିଲେ। ଆଜିର ମ୍ୟାଚରେ ସେ ୧୦୪ ରନ କରି ଆଉଟ୍ ହୋଇଥିଲେ।

ଗୋଟିଏ ବିଶ୍ଵ କପରେ ସବୁଠୁ ଅଧିକ ଶତକ

୧ ରୋହିତ ଶର୍ମା- ୪ ଶତକ (୨୦୧୯ଞ୍ଚ)

୨ କୁମାର ସାଙ୍ଗାକାରା- ୪ ଶତକ(୨୦୧୫)

୩ ମାର୍କ ଓ୍ଵ- ୩ ଶତକ (୧୯୯୬)

୪ ସୌରଭ ଗାଙ୍ଗୁଲି- ୩ ଶତକ(୨୦୦୩)

୫ ମାଥ୍ୟୁ ହେଡେନ- ୩ ଶତକ(୨୦୦୭)

ଟୂର୍ଣ୍ଣାମେଣ୍ଟରେ ଏ ପର୍ଯ୍ୟନ୍ତ ୫୪୦ ରନ

ବିଶ୍ଵ କପ ୨୦୧୯ରେ ରୋହିତ ଶର୍ମା ୭ଟି ଇନିଂସରୁ ୯୦.୬୭ ହାରରେ ୫୪୦ ରନ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୯୬.୯୭ ରହିଛି। ଏଥିରେ ୫୩ ଚୌକା ଓ ୧୨ ଛକା ସାମିଲ। ସେ ଟୂର୍ଣ୍ଣାମେଣ୍ଟରେ ସର୍ବାଧିକ ରନ କରିବାର ବ୍ୟାଟସମ୍ୟାନ ହୋଇଛନ୍ତି।

ଗୋଟିଏ ବିଶ୍ଵ କପରେ ସର୍ବାଧିକ ରନ(ଭାରତୀୟ)

ସଚିନ ତେନ୍ଦୁଲକର- ୬୭୩ ରନ (୨୦୦୩)

ରୋହିତ ଶର୍ମା- ୫୪୦ ରନ (୨୦୧୯)

ସଚିନ ତେନ୍ଦୁଲକର- ୫୨୩ ରନ (୧୯୯୬)

ସଚିନ ତେନ୍ଦୁଲକର- ୪୮୨ ରନ (୨୦୧୧)