୨୦ରେ ପାଟକୁରା ବିଧାନସଭା ନିର୍ବାଚନ

ଭୁବନେଶ୍ୱର,୪/୭: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପାଟକୁରା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୨୦ ତାରିଖରେ ଏଠାରେ ନିର୍ବାଚନ ହେବ। ଜୁଲାଇ ୨୪ରେ ଭୋଟ୍‌ ଗଣତି ହେବ। ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ବେଳେ ବିଜେଡି ପାଟକୁରା ଆସନରୁ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା। ସେ ନାମାଙ୍କନପତ୍ର ବି ଦାଖଲ କରିଥିଲେ। ତେବେ ନିର୍ବାଚନର ୯ ଦିନ ପୂର୍ବରୁ ଏପ୍ରିଲ୍ ୨୦ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ପରଲୋକ ହୋଇଥିଲା। ଫଳରେ ନିର୍ବାଚନ କମିଶନ ପାଟକୁରା ବିଧାନସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିଥିଲେ।

ଏହା ପରେ ମେ’୧୯ ତାରିଖରେ ପାଟକୁରା ନିର୍ବାଚନ ହେବାର ଥିଲା। ତେବେ ବାତ୍ୟା ଫୋନି ଯୋଗୁଁ ଦ୍ୱିତୀୟ ଥର ନିର୍ବାଚନ ଘୁଞ୍ଚା ଯାଇଥିଲା।

ପାଟକୁରା ଆସନ ପାଇଁ ବିଜେଡି ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କ ନାଁ ଘୋଷଣା କରିଛି। ସେହିପରି ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି।