ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ଭାରତୀୟ ଟ୍ୟାଙ୍କର, ଆସୁଛି ୪୭ ହଜାର ମେଟ୍ରିକ ଟନ୍ ଏଲପିଜି

ନୂଆଦିଲ୍ଲୀ, ୦୫/୦୪ : ଭାରତ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଭାରତୀୟ ଏଲପିଜି ଟ୍ୟାଙ୍କର ଗ୍ରୀନ୍ ସାନ୍‌ଭି ୩ ଏପ୍ରିଲରେ ହର୍ମୁଜ ପ୍ରଣାଳୀରେ ସୁରକ୍ଷିତ ଭାବେ ଯାତ୍ରା କରିଛି। ଜାହାଜରେ ପ୍ରାୟ ୪୬,୬୫୦ ମେଟ୍ରିକ୍ ଟନ୍ ଏଲପିଜି କାର୍ଗୋ ଲଦା ହୋଇଛି। ଆଗାମୀ ଦିନରେ ଆଉ ୨ ଦୁଇ ଏଲପିଜି ଟ୍ୟାଙ୍କର ଗ୍ରୀନ୍ ଆଶା ଓ ଜଗ ବିକ୍ରମ ମଧ୍ୟ ହର୍ମୁଜ ପାର୍ କରି ଭାରତ ଆସିବ। ବର୍ତ୍ତମାନ ସୁଦ୍ଧା ସମୁଦାୟ ୭ ଭାରତୀୟ ଏଲପିଜି ଟ୍ୟାଙ୍କର ହର୍ମୁଜ ପାର୍ କରିସାରିଛି। ତଥ୍ୟ ଅନୁସାରେ ପାରସ୍ୟ ଉପସାଗରରେ ୧୮ ଭାରତୀୟ ଜାହାଜ ରହିଛି। ଏଥିରେ ୩ ଅନ୍ୟ ଏଲପିଜି ଟ୍ୟାଙ୍କର, ୪ ଅଶୋଧିତ ତୈଳ ଟ୍ୟାଙ୍କର, ଗୋଟିଏ ଏଲଏନଜି ଟ୍ୟାଙ୍କର, ଗୋଟିଏ କେମିକାଲ ପ୍ରଡକ୍ଟ୍ ଟ୍ୟାଙ୍କର, ୩ କଣ୍ଟେନର ଓ ଅନ୍ୟାନ୍ୟ ଜାହାଜ ସାମିଲ ରହିଛି। ଭାରତ ନିଜ ଜାହାଜକୁ ସୁରକ୍ଷିତ ଭାବେ ନେବା ଆଣିବା ପାଇଁ ଇରାନ ସହିତ କୂଟନୈତିକ ସ୍ତରରେ ଆଲୋଚନା କରୁଛି। ଇରାନ ନିକଟରେ ସ୍ପଷ୍ଟ କରିଥିଲା ଯେ ଯେଉଁ ଦେଶ ତା ସହ ସମନ୍ବୟ ରଖିବ ଏବଂ ଯେଉଁ ଦେଶ ଶତ୍ରୁ ତାଲିକାରେ ନାହିଁ ସେହି ଦେଶର ଜାହାଜକୁ ହର୍ମୁଜ ପ୍ରଣାଳୀରେ ଯାତ୍ରା ପାଇଁ ଅନୁମତି ଦିଆଯିବ। ହର୍ମୁଜ ପ୍ରଣାଳୀ ଇରାନ ଓ ଓମାନ ମଧ୍ୟରେ ଥିବା ଏକ ରଣନୈତିକ ସମୁଦ୍ର ମାର୍ଗ। ପ୍ରତି ଦିନ ୨ କୋଟି ବ୍ୟାରେଲରୁ ଅଧିକ ଅଶୋଧିତ ତୈଳ ଏହି ମାର୍ଗରେ ଅତିକ୍ରମ କରିଥାଏ। ଏହି ମାର୍ଗରେ ସାମାନ୍ୟ ବିଳମ୍ବ ହେଲେ ବା କୌଣସି ବାଧା ଉପୁଜିଲେ ତେଲ ବଜାର ଉପରେ ପ୍ରଭାବ ପଡ଼ିବା ସହ ସେୟାର ବଜାର, ବୈଶ୍ବିକ ଯୋଗାଣ ଶୃଙ୍ଖଳା ମଧ୍ୟ ପ୍ରଭାବିତ ହୋଇଥାଏ।