ଭେହକିଲ୍ ଫ୍ରି କ୍ୟାମ୍ପସ ସ୍ବୀକୃତି ପାଇଲା କିଟ୍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୦୭/୦୬ : ଭେହକିଲ୍ ଫ୍ରି କ୍ୟାମ୍ପସ ସ୍ବୀକୃତି ପାଇଲା କିଟ୍ ବିଶ୍ୱବିଦ୍ୟାଳୟ । ମିଳିଲା ଫିଟ୍ ଇଣ୍ଡିଆ ଭେହକିଲ ଫ୍ରି କ୍ୟାମ୍ପସ ଫର୍ଣ୍ଣ(FERN) ସ୍ବୀକୃତି । ପରିବେଶ ପ୍ରତି ଦାୟିତ୍ବବୋଧ ସମ୍ପନ୍ନ ଆଚରଣକୁ ପ୍ରୋତ୍ସାହିତ କରିବା ପାଇଁ ଆଜି ଦିଲ୍ଲୀଠାରେ କିଟ୍ କୁ ମିଳିଛି ଗୋଲ୍ଡ ଫର୍ଣ୍ଣ ସମ୍ମାନ । ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କଠାରୁ ସମ୍ମାନ ଗ୍ରହଣ କରିଥିଲେ କିଟ୍ ଓ କିସ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ।

କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଏବଂ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ସାଇକ୍ଲିଂକୁ ବହୁତ ଗୁରୁତ୍ୱ ଦେଉଛି। KIIT ଓ KISS କ୍ୟାମ୍ପସରେ ଭାରତର ପ୍ରଥମ ୨୫୦-ମିଟର କଂକ୍ରିଟ୍ ସାଇକ୍ଲିଂ ଭେଲୋଡ୍ରମ୍ ନିର୍ମାଣ କରାଯାଇଛି। ଏହା ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ପ୍ରାପ୍ତ ସାଇକ୍ଲିଷ୍ଟ ମିନତି ମହାପାତ୍ରଙ୍କ ନାମରେ ନାମିତ। ଏହି ଭିତ୍ତିଭୂମି ଦେଶର ଖେଳାଳିମାନଙ୍କ ପାଇଁ ଏକ ବଡ଼ ସୁଯୋଗ। କ୍ୟାମ୍ପସ ଭିତରେ ପ୍ରଦୂଷଣ କମାଇବା ଏବଂ ଛାତ୍ରଛାତ୍ରୀଙ୍କୁ ଶାରୀରିକ ଭାବେ ସୁସ୍ଥ ରଖିବା ପାଇଁ ସାଇକେଲ ଚଳାଇବାକୁ ପ୍ରୋତ୍ସାହିତ କରାଯାଏ। ସାଇକେଲ ଚଳାଇବା ଦ୍ୱାରା କୌଣସି ପ୍ରଦୂଷଣ ହୁଏ ନାହିଁ। ଏହା କାର୍ବନ ଫୁଟ୍ ପ୍ରିଣ୍ଟ କମାଇବାରେ ସାହାଯ୍ୟ କରେ।

ଏହା ଶାରୀରିକ ସୁସ୍ଥତା ପାଇଁ ଏକ ସହଜ ଓ ଉତ୍ତମ ବ୍ୟାୟାମ। ​KIIT କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ କ୍ରୀଡ଼ା ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରୁଥିବା ଏକ ପ୍ରତିଷ୍ଠାନ। ଦଶନ୍ଧିରୁ ଅଧିକ ସମୟ ଧରି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏଭଳି ଏକ ସମାଜ ଗଢ଼ିବା ପାଇଁ ପ୍ରୟାସ କରିଛନ୍ତି, ଯେଉଁଠାରେ ସ୍ୱାସ୍ଥ୍ୟ, ସ୍ଥିରତା ଏବଂ ସାମାଜିକ ଦାୟିତ୍ୱବୋଧ ହେଉଛି ଜୀବନର ମୂଳଦୁଆ। ସାଇକେଲ ଚଲାଇବା କେବଳ ଯାତାୟାତର ମାଧ୍ୟମ ନୁହେଁ, ବରଂ ଏହା ଏକ ସକାରାତ୍ମକ ପରିବର୍ତ୍ତନର ମାଧ୍ୟମ। KIIT ଏବଂ KISS ର ହଜାର ହଜାର ଛାତ୍ରଛାତ୍ରୀ ଦୈନନ୍ଦିନ ଜୀବନରେ ସାଇକେଲକୁ ବ୍ୟବହାର କରୁଛନ୍ତି।

ଏହା କାର୍ବନ ନିର୍ଗମନ କମାଇବା, ସ୍ୱାସ୍ଥ୍ୟକର ଜୀବନଶୈଳୀ ପ୍ରୋତ୍ସାହିତ କରିବା ଏବଂ ପରିବେଶକୁ ସବୁଜ ରଖିବାରେ ସହାୟକ ହେଉଛି। ଏହି ଅଭିଯାନରେ ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଜନପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଛନ୍ତି, ଯାହା ସାଇକେଲକୁ ସ୍ୱାସ୍ଥ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ଏକ ଶକ୍ତିଶାଳୀ ଅସ୍ତ୍ର ଭାବରେ ପ୍ରତିଷ୍ଠିତ କରିଛି। ତେଣୁ ‘FIT India’ ଅଭିଯାନରେ , KIIT କୁ ଏକ ସାଇକେଲ୍-ଫ୍ରେଣ୍ଡଲି କ୍ୟାମ୍ପସ ଭାବରେ ସ୍ୱୀକୃତି ମିଳିଛି। ଆଜି କିଟ୍ ସହ ଆସାମର ଶ୍ରୀ ଶ୍ରୀ ଅନିରୁଦ୍ଧଦେବ ସ୍ପୋର୍ଟ ବିଶ୍ୱବିଦ୍ୟାଳୟ ଏବଂ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟକୁ ଭେହକିଲ୍ ଫ୍ରି କ୍ୟାମ୍ପସ ପାଇଁ ସମ୍ମାନୀତ କରାଯାଇଛି।