ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ବର, ୧୯/୦୫ : ଆସନ୍ତାକାଲି ପ୍ରକାଶ ପାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏନେଇ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମ ଏବଂ କରେସପଣ୍ଡେସ୍‌ କୋର୍ସ ଫଳ ପ୍ରକାଶ ପାଇବ। ଆସନ୍ତା ୨୦ ତାରିଖ ମଧ୍ୟାହ୍ଣ ୧୨ଟା ୩୦ରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ପରୀକ୍ଷା ଫଳ ପ୍ରକାଶ ପରେ ଅପରାହ୍ଣ ୩ଟାରେ results.odisha.gov.in ଓ results.digilocker.gov.in ଲଗଇନ୍‌ କରି ପରୀକ୍ଷାର୍ଥୀ ସେମାନଙ୍କର ଫଳ ଜାଣିପାରିବେ। ସାମ୍ସ ଇ-ସ୍ପେସ୍‌ରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ଫଳ ପାଇପାରିବେ। ଫଳ ଘୋଷଣା ଦିନ ହିଁ ଇନ୍‌ଷ୍ଟାଣ୍ଟ ପରୀକ୍ଷା ସୂଚୀ ଘୋଷଣା କରାଯିବ। ଚଳିତବର୍ଷ ୪ ଲକ୍ଷ ୧ ହଜାର ୬୨୩ ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବାବେଳେ ୩ ଲକ୍ଷ ୯୮ ହଜାର ୯୦ ଜଣ ପରୀକ୍ଷା ଦେଇଥିଲେ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୫୪ ହଜାର ୧୧୯ଜଣ, ବିଜ୍ଞାନରେ ୧ ଲକ୍ଷ ୧୩ ହଜାର ୮୨୬, ବାଣିଜ୍ୟରେ ୨୪ ହଜାର ୨୮୯ ଜଣ ଓ ଧନ୍ଦାମୂଳକରେ ୫ ହଜାର ୮୫୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।