ମହୁରେ ରହିଥାଏ ଏହି ସବୁ ଔଷଧୀୟ ଗୁଣ : ଜାଣନ୍ତୁ ଏହାର ଉପକାରିତା

ମହୁର ଔଷଧୀୟ ଗୁଣ କାହାରିକୁ ଅଛପା ନାହିଁ। ଆଜିକାଲି ଲୋକେ କମ୍ ପ୍ରକ୍ରିୟାକୃତ ଖାଦ୍ୟ ଖୋଜୁଥିବା ବେଳେ ମହୁ ହେଉଛି ସେହି ପ୍ରାକୃତିକ ନ୍ୟୁଟ୍ରାଫାର୍ମାସ୍ୟୁଟିକାଲ୍, ଯାହା ସିଧା ମହୁଫେଣାରୁ ଆମ ପାଖକୁ ଆସିଥାଏ। ତେଣୁ ବିଶ୍ୱ ବଜାରରେ ଏବେ ଜୈବିକ ଓ ୟୁନିଫ୍ଲୋରାଲ୍ ମହୁର ଚାହିଦା ବଢୁଛି। ମହୁରେ ପ୍ରାୟ ୮୦% ପ୍ରାକୃତିକ ଶର୍କରା ଥାଏ, ଯାହା ମୁଖ୍ୟତଃ ଫ୍ରୁକ୍ଟୋଜ୍ ଓ ଗ୍ଲୁକୋଜ୍‌ରୁ ଆସେ। ସେହିପରି ଏଥିରେ ୧୭% ଜଳ ଥାଏ। ଏଥିରେ ମଧ୍ୟ ଏଞ୍ଜାଇମ୍, ଜୈବିକ ଅମ୍ଳ, ଆମିନୋ ଏସିଡ୍, ପୋଟାସିୟମ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଲୌହ ଭଳି ଖଣିଜ ଓ ଉଦ୍ଭିଦ ପଲିଫେନଲ୍ ଭରି ରହିଥାଏ।

ମହୁ ଆମକୁ ତୁରନ୍ତ ଶକ୍ତି ଯୋଗାଏ। ପ୍ରାକୃତିକ ଶର୍କରା ହେତୁ ଏହା ସହଜରେ ହଜମ ହେବା ସହ ଶରୀରକୁ ହାଲୁକା କରେ। ସେହିପରି ମହୁ ଜଳକୁ ଆକର୍ଷିତ‌ କରେ, ତେଣୁ ଚର୍ମର ଯତ୍ନ ଓ ପାରମ୍ପରିକ କ୍ଷତପଟିରେ ଏହାର ବ୍ୟବହାର ହୁଏ। ଏଥିରେ ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ୍‌ ଭରି ରହିଥାଏ। ଆମ ରାଜ୍ୟର ଘନ ଜଙ୍ଗଲ ଓ ବଣୁଆ ଫୁଲରୁ ପ୍ରସ୍ତୁତ ମହୁରେ ଅଧିକ ପଲିଫେନଲ୍ ଥାଏ। ମହୁ ସହ ପରାଗରୁ ପ୍ରୋଟିନ୍, ଭିଟାମିନ୍ ବି ମିଳେ।

ଏଥିସହିତ ଏହା ମଲ୍‌ଟି ଭିଟାମିନ୍ ଭଳି । ତ୍ୱଚାର ଯତ୍ନ, ବ୍ରଣ ନିବାରଣ, ଛୋଟିଆ କ୍ଷତ, ପୋଡ଼ାଜଳା, କାଶ, ଥଣ୍ଡା, ତଣ୍ଟି ଦରଜ ଆଦି ପାଇଁ ମହୁ ଅବ୍ୟର୍ଥ ଔଷଧ । ସେହିପରି କାଶ କମାଇବା ସହିତ ମହୁ ଭାଇରସ୍ ମାରେ, ଲାଳ ବଢ଼ାଏ। ଖାଇବା ପରେ ଗୋଟେ ଚାମଚ ମହୁ ଖାଇଲେ ଏସିଡିଟିରୁ ଆରାମ ମିଳେ ବୋଲି ଡାକ୍ତର କହନ୍ତି। ଏହା ଅଲସର୍ ଭଳି ରୋଗ ନିରାକରଣ କରିପାରେ। ଓଡ଼ିଶାର ଲିଚୁ, ସୋରିଷ, ଜାମୁ, କରଞ୍ଜ ଓ ବଣଫୁଲ ଆଦି ମହୁ ନିଜସ୍ବ ସ୍ୱାଦ ପାଇଁ ପରିଚିତ। ପ୍ରତିବର୍ଷ ମେ’ ୨୦ରେ ବିଶ୍ବ ମହୁମାଛି ଦିବସ ପାଳନ ଅବସରରେ ଯୁବପିଢ଼ିଙ୍କୁ ମହୁଚାଷ ପାଇଁ ଉତ୍ସାହିତ କରାଯିବା ବର୍ତ୍ତମାନର ଆବଶ୍ୟକତା।