ଭୁବନେଶ୍ୱର, ୨୩/୦୫ : ଆସନ୍ତା କାଲି ଠାରୁ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ସ୍ଥଗିତ । ଜୁନ୍ ମାସରେ ପୁଣି ଗଣତିମଣତି ଆରମ୍ଭ ପାଇଁ ସ୍ଥିର କରାଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା । ବର୍ତ୍ତମାନର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଏବଂ ମହାପ୍ରଭୁଙ୍କ ଆଗାମୀ ପର୍ବପର୍ବାଣୀ, ବିଶେଷକରି ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରାକୁ ଦୃଷ୍ଟିରେ ରଖି, ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଆସନ୍ତା ସପ୍ତାହରୁ ଛତିଶା ନିଯୋଗ ଓ ପରିଚାଳନା କମିଟିର ବୈଠକଗୁଡ଼ିକ କ୍ରମାଗତ ଭାବେ ଆୟୋଜିତ ହେବ । ଉପରୋକ୍ତ ପରିପ୍ରେକ୍ଷୀରେ, ଆସନ୍ତାକାଲିଠାରୁ ଗଣତି କାର୍ଯ୍ୟକୁ ସ୍ଥଗିତ ରଖି ପୁଣି ଜୁନ୍ ମାସରେ ପୁନର୍ବାର ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ମହାପ୍ରଭୁଙ୍କ ଅଶେଷ କୃପା ଓ ଆଶୀର୍ବାଦରୁ ସମଗ୍ର ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ, ସୁଚାରୁ ତଥା ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଆଗେଇ ଚାଲିଛି। ଗଜପତି ମହାରାଜାଙ୍କ ମାର୍ଗଦର୍ଶନ, ଉଚ୍ଚସ୍ତରୀୟ ଓ ପରିଚାଳନା କମିଟିର ପରାମର୍ଶ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ସାଥୀଅଧିକାରୀ ଏବଂ ବିଶେଷକରି ସେବକବନ୍ଧୁମାନଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରୁଛି। ଆଜିର ଗଣତି କାର୍ଯ୍ୟ ପୂର୍ବ ପ୍ରସ୍ତୁତି ଅନୁୟାୟୀ ଚାଲିବ ।