କାର୍‌ରେ ଶ୍ବାସରୁଦ୍ଧ ହୋଇ ଦୁଇ ଭଉଣୀ ମୃତ

ନୂଆଦିଲ୍ଲୀ, ୨୩/୦୫ : ଗ୍ୟାରେଜ୍‌ରେ ପାର୍କିଂ ହୋଇଥିବା ଏକ କାର୍ ଭିତରେ ଫସିରହିଯିବା କାରଣରୁ ଦୁଇ ନାବାଳିକା ଭଉଣୀଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନ ଅଲୱାର ଜିଲାରେ ଏହି ଅଘଟଣ ଘଟିଛି। ମୃତ ଦୁଇ ଭଉଣୀଙ୍କର ବୟସ ୮ବର୍ଷ ଓ ୫ବର୍ଷ। ବୈଶାଳୀ ନଗର ଥାନା ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଦୁଇ ଭଉଣୀ ଘର ପାଖରେ ଖେଳୁଥିବାବେଳେ ନିକଟସ୍ଥ ଏକ କାର ଗ୍ୟାରେଜ ନିକଟକୁ ଯାଇଥିଲେ। ସେମାନେ କୌତୁହଳଶସତଃ ପାର୍କିଂ ହୋଇଥିବା ଏକ କାର୍‌ ଭିତରେ ପଶିଯାଇଥିଲେ। କାର୍‌ ଡୋର ଲକ୍‌ ହୋଇଯିବାରୁ ସେମାନେ ଆଉ ବାହାରି ପାରି ନଥିଲେ। ରୌଦ୍ର ତାପ ସହିତ କାର୍‌ ଭିିତରେ ଦୀର୍ଘ ସମୟ ବନ୍ଦ ହୋଇ ରହିବା କାରଣରୁ ଦୁଇ ଭଉଣୀ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ଦୁଇ ଝିଅଙ୍କୁ ଘର ଆଖପାଖରେ ନ ପାଇବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଶେଷରେ ସେମାନେ ଦୁଇ ଝିଅଙ୍କୁ କାର୍ ଭିତରେ ଅଚେତ ଅବସ୍ଥାରେ ପାଇଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ମାତ୍ର ସେମାନଙ୍କର ମୃତ୍ୟୁ ହୋଇସାରିଥିଲା।