ନୂଆଦିଲ୍ଲୀ, ୨୩/୦୫ : ଦିଲ୍ଲୀର ଫର୍ଣ୍ଣିଚର ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗତକାଲି ଶାସ୍ତ୍ରୀ ପାର୍କରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ନିଆଁ ଲିଭାଇବା ପାଇଁ ଦମକଳ ଗାଡି ବିଳମ୍ବରେ ପହଞ୍ଚିବାରୁ ଲୋକେ ଉତ୍ତେଜିତ ହୋଇ ପଥର ମାଡ କରିଥିଲେ । କିନ୍ତୁ କିଛି ଲୋକ ଏପରି ନକରିବାକୁ ବାରଣ କରିଥିଲେ । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଫର୍ଣ୍ଣିଚର ମାର୍କେଟରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ ନିଜ ଦୋକାନକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ କାଠ ଜିନିଷ ହୋଇଥିବାରୁ ଅଗ୍ନିକାଣ୍ଡ ଦ୍ରୁତ ଗତିରେ ବ୍ୟାପିଯାଇଥିଲା । ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା । ହେଲେ ଅଗ୍ନିଶମ ବାହିନୀ ଗାଡ଼ି ବିଳମ୍ବରେ ପହଞ୍ଚିଥିଲା । ସେହି ସମୟ ମଧ୍ୟରେ ଦୋକାନୀମାନଙ୍କର ବହୁ ସମ୍ପତ୍ତି କ୍ଷୟକ୍ଷତି ହୋଇଯାଇଥିଲା । ତେଣୁ ଲୋକେ ଉତ୍ତେଜିତ ହୋଇ ଅଗ୍ନିଶମ ବାହିନୀ ଗାଡ଼ି ଉପରୁକୁ ପଥର ଫିଙ୍ଗିବାକୁ ଆରମ୍ଭ କରିଥିଲେ । କିନ୍ତୁ ସୌଭାଗ୍ୟବଶତଃ ଏଥିରେ କେହି ଆହତ କିମ୍ବା ମୃତାହତ ହୋଇନାହାଁନ୍ତି । ଅଗ୍ନିକାଣ୍ଡରେ ୨୫୦ ରୁ ୩୦୦ ଦୋକାନ ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି ।