ଲେଡି ଆଇପିଏସଙ୍କ ସରପ୍ରାଇଜ୍ ରେଡ୍, ୪ ମହିଳା ଏବଂ ୫ ପୁରୁଷ ଗିରଫ

ନୂଆଦିଲ୍ଲୀ, ୦୮/୦୬ : ପବ୍‌ରେ ଲେଡି ଆଇପିଏସ୍‌ଙ୍କ ରାତିଅଧିଆ ସରପ୍ରାଇଜ୍ ରେଡ୍ । ହାଇଦ୍ରାବାଦରେ ଚାଲିଥିବା ଦେହ ବ୍ୟବସାୟର ପର୍ଦ୍ଦାଫାସ୍, ୯ ଗିରଫ। ହାଇଦ୍ରାବାଦ କୁକଟପଲ୍ଲୀ ଅଞ୍ଚଳର ଏକ ପବ୍‌ରେ ଚଢ଼ାଉ କରାଯାଇଥିଲା। ଏହି ପବରେ ବେଆଇନ କାର୍ଯ୍ୟ କଳାପ ଚାଲିଥିବା ନେଇ ସୂଚନା ମିଳିବା ପରେ ରେଡ୍ କରିଥିଲା ପୁଲିସ ।ଯୁବ ମହିଳା ଆଇପିଏସ୍ ଅଫିସର ରିତି ରାଜଙ୍କ ନେତୃତ୍ୱରେ ବିଳମ୍ବିତ ରାତିରେ ସିନେମା ଷ୍ଟାଇଲ୍‌ରେ ହୋଇଥିବା ଏହି ରେଡରେ ପବ୍ ଭିତରେ ଚାଲିଥିବା ଅସାମାଜିକ କାର୍ୟ୍ୟକଳାପ ଏବଂ ବ୍ୟାପକ ନିୟମ ଉଲ୍ଲଂଘନର ପର୍ଦ୍ଦାଫାସ୍ ହୋଇଛି। ନିଜେ ଗ୍ରାହକ ସାଜି ଏହି ଅପରେସନ କରିଥିଲେ ଡିସିପି ରୀତି ରାଜ । ଡିସିପି ନିଜେ ସାଧା ପୋଷାକରେ ଗୋପନୀୟ ଭାବେ କ୍ଲବ୍ ମସ୍ତିକୁ ଯାଇ ସତ୍ୟାସତ୍ୟ ଯାଞ୍ଚ କରିଥିଲେ ଏବଂ ପ୍ରମାଣ ମିଳିବା ମାତ୍ରେ ଟିମ୍ ସହ ଚଢ଼ାଉ କରିଥିଲେ। ପବ୍‌ରେ ଗ୍ରାହକମାନଙ୍କୁ ପ୍ରଲୋଭିତ କରିବା ଏବଂ ଦେହ ବ୍ୟବସାୟ ପାଇଁ ମହିଳାମାନଙ୍କୁ ବ୍ୟବହାର କରାଯାଉଥିଲା। କେବଳ ସେତିକି ନୁହେଁ, ପୁରୁଷ ଗ୍ରାହକଙ୍କୁ ଆକର୍ଷିତ କରି ସେମାନଙ୍କ ନାଁରେ ମାତ୍ରାଧିକ ଟଙ୍କାର ବେଆଇନ ବିଲ୍ ପ୍ରସ୍ତୁତ କରାଯାଉଥିଲା। ଚଢ଼ାଉ ବେଳେ ପବ୍‌ରେ ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି। ପୁଲିସ ପବ୍‌ର ୯ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୪ ମହିଳା ଏବଂ ୫ ଜଣ ପୁରୁଷ ଅଛନ୍ତି ।