ଡିଲ୍ ବେଳେ ବାଘ ଛାଲ ଜବତ : ୧୧ ଜଣ ଗିରଫ

ଭୁବନେଶ୍ୱର, ୦୮/୦୬ : ଓଡ଼ିଶାରେ ପୁଣି ସକ୍ରିୟ ହୋଇଛି ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ୍। ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ଲଗାତାର ଦୁଇଟି ବଡ଼ ଚଢ଼ାଉ ପରେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଦୁଇ ଜିଲ୍ଲାରୁ ମୋଟ ୩ଟି କଲରାପତରିଆ ବାଘ ଛାଲ ଜବତ ହେବା ସହ ୧୧ ଜଣଙ୍କୁ ଗିରଫ କରାଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଆନ୍ତଃରାଜ୍ୟ ସ୍ତରରେ ବାଘ ଛାଲ ଚୋରାଚାଲାଣ ନେଟୱର୍କ ରାଜ୍ୟରେ ଗଭୀର ଭାବେ ଚେର ମେଲାଇଛି। ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଅନ୍ତର୍ଗତ ବୁରାତାଲ ଅଞ୍ଚଳରେ ବାଘ ଛାଲ ବିକ୍ରି ହେଉଥିବା ନେଇ ଜରଡ଼ା ପୋଲିସ କୌଣସି ଗୁପ୍ତ ସୂଚନା ପାଇଥିଲା। ସୂଚନାକୁ ଆଧାର କରି ପୋଲିସ ଟିମ୍ ଉପର ବୁରାତାଲ ଅଞ୍ଚଳରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ଜଙ୍ଗଲ ଆଡକୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ସେମାନଙ୍କୁ ପିଛା କରିବା ବେଳେ ଅଭିଯୁକ୍ତମାନେ ଖଣ୍ଡା ବାହାର କରି ଧମକ ଦେଇଥିଲେ। ତେବେ ପୋଲିସର ତତ୍ପରତା ଓ କୌଶଳ ଆଗରେ ସେମାନଙ୍କ ଉଦ୍ୟମ ବିଫଳ ହୋଇଥିଲା। ଘଟଣାସ୍ଥଳରୁ ଦୁଇଟି କଲରାପତରିଆ ବାଘ ଛାଲ, ଏକ ବନ୍ଧୁକ ବ୍ୟାଗ ଓ ଧାରୁଆ ଅସ୍ତ୍ର ଜବତ କରାଯାଇଥିଲା। ଏହି ମାମଲାରେ କେଶବ ଜମାଦାର ଓ ବିର ଜମାଦାରଙ୍କୁ ଗିରଫ କରାଯାଇଛି।

ଅନ୍ୟପଟେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବନାଞ୍ଚଳ ଅଧୀନ ରିବଲକଣା ଗାଁରେ ବନ ବିଭାଗର ଚଢ଼ାଉ ବେଳେ ଆଉ ଏକ ବାଘ ଛାଲ ଜବତ ହୋଇଛି। ତଦନ୍ତରୁ ଜଣାପଡ଼ିଛି ଯେ ଗତ ବର୍ଷ ନଭେମ୍ବର ମାସରେ ବାଘକୁ ଶିକାର କରାଯାଇଥିଲା। ପରେ ତାହାର ହାଡ଼, ନଖ ଆଦି ବିକ୍ରି କରାଯାଇଥିବା ବେଳେ ଛାଲକୁ ଆନ୍ତଃରାଜ୍ୟ ଚୋରାଚାଲାଣକାରୀଙ୍କୁ ବିକ୍ରି କରିବା ପାଇଁ ଯୋଜନା ଚାଲିଥିଲା। ସେହି ସମୟରେ ବନ ବିଭାଗ ରାକେଟକୁ ଧରିବାରେ ସଫଳ ହୋଇଥିଲା। ଏହି ଘଟଣାରେ କଳାହାଣ୍ଡିର ୪ ଜଣ ଓ ରାୟଗଡ଼ାର ୫ ଜଣଙ୍କୁ ଗିରଫ କରାଯାଇଛି। ଆଶ୍ଚର୍ଯ୍ୟର କଥା, ଗିରଫ ହୋଇଥିବାମାନଙ୍କ ମଧ୍ୟରେ ଜଣେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ମଧ୍ୟ ଅଛନ୍ତି। ବନ ବିଭାଗ ସେମାନଙ୍କଠାରୁ ତିନୋଟି ବାଇକ୍ ଓ ମୋବାଇଲ୍ ଫୋନ୍ ଜବତ କରିଛି। ଏବେ ଏହି ଚୋରାଚାଲାଣ ଚକ୍ରର ମୂଳ ମାଷ୍ଟରମାଇଣ୍ଡ କିଏ ଏବଂ ଏହାର ଆନ୍ତଃରାଜ୍ୟ ସଂଯୋଗ କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି, ତାହା ଖୋଜିବାରେ ତଦନ୍ତକାରୀ ସଂସ୍ଥା ଲାଗିପଡ଼ିଛନ୍ତି।