ନୂଆଦିଲ୍ଲୀ, ୦୭/୦୮ : ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ସିରିଆର ରାଜଧାନୀ ଦାମାସ୍କସରେ ମାକ୍ରନ ରହୁଥିବା ହୋଟେଲ ନିକଟରେ ଶକ୍ତିଶାଳୀ ବୋମା ବିସ୍ଫୋରଣ ସୂଚନା ମିଳିଛି । ଗୋଟିଏ ନୁହେଁ ଦୁଇ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସିରିଆ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ନେଇ ତଦନ୍ତ ଜାରି ରହିଥିବା ବେଳେ ମାକ୍ରନ ନିଜ ସିରିଆ ଗସ୍ତ ଜାରି ରଖିଛନ୍ତି। ଗୃହ ଯୁଦ୍ଧ ପରେ ସିରିଆରେ ନୂଆ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ସିରିଆ ଗସ୍ତ କରିଛନ୍ତି। ସିରିଆର ନୂଆ ରାଷ୍ଟ୍ରପତି ଅହମ୍ମଦ ଅଲ-ଶାରାଙ୍କୁ ସାକ୍ଷାତ କରି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଗୋଟିଏ ବିସ୍ଫୋରଣ ହୋଟେଲ ନିକଟରେ ଥିବା ଏକ ଡଷ୍ଟବିନରେ ହୋଇଥିବା ବେଳେ ଅନ୍ୟଟି ଏକ ଗାଡ଼ିରେ ଲଗାଯାଇଥିବା ଆଇଇଡି ଯୋଗୁଁ ହୋଇଥିଲା। ରାଷ୍ଟ୍ରପତି ମାକ୍ରୋନ ହୋଟେଲ ଛାଡ଼ି ସିରିଆ ରାଷ୍ଟ୍ରପତି ଅହମ୍ମଦ ଅଲ ସାରାଙ୍କୁ ଭେଟିବା ପାଇଁ ବାହାରିଯିବା ପରେ ଏହି ବିସ୍ଫୋରଣ ଘଟିଥିଲା। ସିରିଆ ଏବେ ଆତଙ୍କୀ ସଂଗଠନ ISIS ବିରୋଧୀ ମେଣ୍ଟରେ ସାମିଲ ହୋଇଥିବାରୁ, ଦୁଇ ଦେଶ ମଧ୍ୟରେ ସୁରକ୍ଷା ଓ ଆତଙ୍କବାଦ ମୁକାବିଲାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ୨୦୨୪ ମସିହାରେ ବଶର ଅଲ-ଅସଦଙ୍କ ଶାସନ ଶେଷ ହେବା ପରେ ସିରିଆ ଗସ୍ତ କରିବାରେ ମାକ୍ରୋନ୍ ହେଉଛନ୍ତି ପ୍ରଥମ ପାଶ୍ଚାତ୍ୟ ତଥା ୟୁରୋପୀୟ ୟୁନିଅନର ନେତା। ସିରିଆରେ ବର୍ତ୍ତମାନର ଗୃହଯୁଦ୍ଧ ପରବର୍ତ୍ତୀ ସ୍ଥିତି ବେଶ ସମ୍ବେଦନଶୀଳ ରହିଛି। ଗତ ସପ୍ତାହରେ ମଧ୍ୟ ଦାମାସ୍କସର ଏକ କ୍ୟାଫେରେ ବୋମା ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା।