ପାର୍ଟିରୁ ଇସ୍ତଫା ଦେଲେ ବିଜେପି ମୁଖପାତ୍ର ଶେହଜାଦ୍ ପୁନାୱାଲା

ନୂଆଦିଲ୍ଲୀ, ୩୧/୦୭ : ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ସୂଚନା ଅନୁସାରେ ଶେହଜାଦ ୩୦ ତାରିଖ ସନ୍ଧ୍ୟାରେ ପାର୍ଟିକୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଥିଲେ। ସେହି ଅନୁସାରେ ସେ ତାଙ୍କର ଏକ୍ସ ଓ ଅନ୍ୟ ସୋସିଆଲ ମିଡିଆ ହ୍ୟାଣ୍ଡେଲ ବିବରଣୀରୁ ‘ବିଜେପି’ ଶବ୍ଦ ହଟାଇ ଦେଇଛନ୍ତି। ଏବେ ସେ ନିଜକୁ ଭାରତୀୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜୀବନ ଅନୁଗାମୀ ବୋଲି ଉଲ୍ଲେଖ କରିଛନ୍ତି। ଶେହଜାଦ କଂଗ୍ରେସ ଛାଡିବା ପରେ ବିଜେପିରେ ଯୋଗ ଦେଇଥିଲେ ଓ ପାର୍ଟିର ମୁଖପାତ୍ରଙ୍କ ମଧ୍ୟରେ ସବୁଠୁ ଅଧିକ ବାକପଟୁ ଥିଲେ। ତେବେ ତାଙ୍କ ଇସ୍ତଫା ନେଇ ଏ ପର୍ଯ୍ୟନ୍ତ କୌଣସି ଅଧିକାରୀକ ବୟାନ ଆସି ନାହିଁ। ହେଲେ ସବୁଠୁ ଯାହା ଆଶ୍ଚର୍ଯ୍ୟଜନକ କଥା ତାହା ହେଉଛି ଶେହଜାଦଙ୍କ ଇଂଷ୍ଟାଗ୍ରାମ ପ୍ରୋଫାଇଲରେ ତାଙ୍କୁ ଏବେବି ବିଜେପି ଜାତୀୟ ମୁଖପାତ୍ର ଭାବେ ଦେଖା ଯାଉଛି। ଏକ୍ସରେ ମଧ୍ୟ ପୂର୍ବରୁ ଏହା ଲେଖା ଥିଲା। ଏଥିରେ ପୁନାୱାଲା ପୁରୁଣା ସାକ୍ଷାତକାରର କିଛି କ୍ଲିପ୍ ରିପୋଷ୍ଟ କରିଛନ୍ତି। ଏଥିରେ ସେ ସକ୍ରିୟ ରାଜନୀତି ଛାଡିବାର କଥା କହୁଥିବା ଦେଖା ଯାଇଛି।

ଶେହଜାଦ ପୁନାୱାଲା ପେଷାରେ ଜଣେ ଓକିଲ ଏବଂ ଆକ୍ଟିଭିଷ୍ଟ ଅଟନ୍ତି। ସେ ତାଙ୍କ ରାଜନୈତିକ ଯାତ୍ରା କଂଗ୍ରେସରୁ ଆରମ୍ଭ କରିଥିଲେ। ତେବେ ଡିସେମ୍ବର ୨୦୧୭ରେ କଂଗ୍ରେସ ସଭାପତି ପଦ ଲାଗି ଅନୁଷ୍ଠିତ ନିର୍ବାଚନକୁ ଲୋକ ଦେଖାଣିଆ କହି ବିଜେପିରେ ଯୋଗ ଦେଇଥିଲେ। ୨୦୨୧ ମସିହାରେ ସେ ଦିଲ୍ଲୀ ବିଜେପି ସୋସିଆଲ ମିଡିଆ ୱିଙ୍ଗର ଇନଚାର୍ଜ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ଜଣେ ମୁଖର ସମର୍ଥକ ଭାବେ ବେଶ୍ ଜଣାଶୁଣା। ସେ ଟେଲିଭିଜନ ବିତର୍କମାନଙ୍କରେ ରାହୁଲ ଗାନ୍ଧିଙ୍କ ଉପରେ କଡ଼ା କଟାକ୍ଷ କରନ୍ତି। ଏ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଅଥବା ଶେହଜାଦ ପୁନାୱାଲାଙ୍କ ପକ୍ଷରୁ ଇସ୍ତଫାକୁ ନେଇ କୌଣସି ଅଧିକାରୀକ ବୟାନ ଆସି ନାହିଁ। ତେବେ ସେ ଏକ୍ସ ବାୟୋ ବଦଳାଇବା ପରେ ସୋସିଆଲ ମିଡିଆରେ ତାଙ୍କ ପାର୍ଟି ଛାଡିବାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ହେଲେ ଏହାକୁ ଏବେ ଅଟକଳ ଭାବେ ଦେଖା ଯାଉଛି।

SBI AD