ଲୋକଭବନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ; ୩ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ମହାମହିମ

ଭୂଅବନେଶ୍ୱର, ୦୩/୦୮ : ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ୩ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ ରାଷ୍ଟ୍ରପତି ସିଧା ଲୋକଭବନ ଯାଇଛନ୍ତି। ସେଠାରେ ସେ କିଛି ସମୟ ବିତାଇବେ। ଏହାପରେ ସଡ଼କ ପଥରେ କଟକ ଜିଲ୍ଲା ଡମପଡ଼ା ତହସିଲ ଅନ୍ତର୍ଗତ ବାଆଁରା ନିକଟରେ ଥିବା ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟକ୍ରମ ଶେଷ ପରେ ସେ ଭୁବନେଶ୍ୱର ଫେରି ଲୋକ ଭବନରେ ରାତ୍ରିଯାପନ କରିବେ।

୪ ଅଗଷ୍ଟ ଅର୍ଥାତ ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଯିବେ। ସେଠାରୁ ସଡ଼କ ପଥରେ ତପ୍ତପାଣି ଯାଇ ପ୍ରସିଦ୍ଧ ଉଷ୍ମ ପ୍ରସ୍ରବଣ ପରିଦର୍ଶନ କରିବେ। ପରେ ପୁଣି ବ୍ରହ୍ମପୁର ଫେରି ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବେ। ୫ ଅଗଷ୍ଟରେ ସେ ବ୍ରହ୍ମପୁରରୁ ଟ୍ରେନରେ ଭୁବନେଶ୍ୱର ଫେରି ବାୟୁସେନାର ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପକ୍ଷରୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ଗଞ୍ଜାମରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେ ଯେଉଁ ସଡ଼କପଥରେ ଯାତ୍ରା କରିବେ ଏବଂ ଯେଉଁ ସ୍ଥାନରେ ରହିବେ, ସେହି ସମସ୍ତ ଅଞ୍ଚଳକୁ ‘ନୋ-ଫ୍ଲାଇ ଜୋନ୍’ ଓ ‘ନୋ-ଡ୍ରୋନ୍ ଜୋନ୍’ ଘୋଷଣା କରାଯାଇଛି। ଏହି ସମୟରେ କୌଣସି ପ୍ରକାର ଡ୍ରୋନ୍, ରିମୋଟ୍ ନିୟନ୍ତ୍ରିତ ଉଡ଼ନ୍ତା ଉପକରଣ କିମ୍ବା ବେଲୁନ୍ ଉଡ଼ାଇବାକୁ ବାରଣ କରାଯାଇଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ଭୁବନେଶ୍ୱରରୁ ଗଞ୍ଜାମ ପର୍ଯ୍ୟନ୍ତ ପ୍ରଶାସନ ସଜାଗ ରହିଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ସ୍ତରକୁ ନିଆଯାଇଛି।

SBI AD