ନୂଆଦିଲ୍ଲୀ, ୧୦/୦୮ : ସଂସଦରେ ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍କୁ ନେଇ ହେବ ଜୋରଦାର ଆଲୋଚନା । ଗତ ଶୁକ୍ରବାର ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ ମୁଲତବି ରହିଥିବା ବେଳେ, ଆଜି ପୁଣି ଦିନ ୧୧ଟାରୁ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟ ଆରମ୍ଭ ହେବ । ଏହା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହରେ ଆଗତ ଓ ଆଲୋଚନା ପାଇଁ ତାଲିକାଭୁକ୍ତ ହୋଇଛି । ଆଜି ଲୋକସଭାରେ ସବୁଠାରୁ ଚର୍ଚ୍ଚିତ ରହିବାକୁ ଯାଉଛି ‘କେରଳ ନାମ ପରିବର୍ତ୍ତନ ବିଲ୍, ୨୦୨୬’ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ବିଲ୍କୁ ଗୃହରେ ଆଗତ କରିବେ । ବିଲ୍କୁ ନେଇ ଗୃହରେ ରାଜନୈତିକ ତାତି ବଢ଼ିବାର ଆଶଙ୍କା ରହିଛି । ସେହିପରି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଟ୍ରିବ୍ୟୁନାଲ୍ ସଂସ୍କାର ବିଲ୍, ୨୦୨୬ ଆଗତ କରିବେ। ଏହା ସହିତ ଖଣି ଓ ଖଣିଜ ସଂଶୋଧନ ବିଲ୍, ୨୦୨୬ ଏବଂ ରାଷ୍ଟ୍ରୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ ମଧ୍ୟ ଗୃହରେ ଆଗତ ହେବାର କାର୍ଯ୍ୟସୂଚୀ ରହିଛି । ଅନ୍ୟପଟେ ରାଜ୍ୟସଭାରେ କର ଓ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍ ଉପରେ ଆଲୋଚନା ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଏହି ବିଲ୍କୁ ରାଜ୍ୟସଭାରେ ଉପସ୍ଥାପନ କରିବେ। ଏହି ବିଲ୍ ପୂର୍ବରୁ ଲୋକସଭାରେ ପାରିତ ହୋଇସାରିଛି । ତେବେ ସଂସଦରେ ଆଜିର କାର୍ଯ୍ୟଦିବସକୁ ନେଇ ରାଜନୈତିକ ମାହୋଲ ମଧ୍ୟ ଗରମ ରହିଛି । କଂଗ୍ରେସ ପକ୍ଷରୁ ଥ୍ରୀ-ଲାଇନ୍ ହୁଇପ୍ ଜାରି କରାଯାଇଛି । ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଦଳର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ସଂସଦରେ ଅନିବାର୍ଯ୍ୟ ଭାବେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଶୁକ୍ରବାର ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଆଜି ପୁଣି ଗୃହ ଚାଲିବା ବେଳେ ବିରୋଧୀଙ୍କ ରଣନୀତି କ’ଣ ରହିବ ଏବଂ ସରକାରଙ୍କ ପକ୍ଷରୁ ବିଲ୍ଗୁଡ଼ିକୁ ନେଇ କିପରି ଆଲୋଚନା ଆଗକୁ ବଢ଼ିବ, ତା’ଉପରେ ରହିଛି ସମସ୍ତଙ୍କ ନଜର ।