ଶ୍ରାବଣ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିକୁ ପାଳନ କରାଯାଏ ନାଗ ପଞ୍ଚମୀ । ନାଗଙ୍କୁ ସମର୍ପିତ ଏହି ପର୍ବ କେବଳ ଧାର୍ମିକ ଆସ୍ଥା ସହ ଜଡ଼ିତ ନୁହେଁ, ଭାରତୀୟ ପୁରାଣ, ଲୋକକଥା ଓ ଜ୍ୟୋତିଷରେ ମଧ୍ୟ ନାଗଙ୍କର ବିଶେଷ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ରରେ ନାଗଙ୍କ ସମ୍ପର୍କ ରାହୁଙ୍କ ସହ ଯୋଡ଼ାଯାଇଛି । ରାହୁଙ୍କ ଅଧିଦେବତା କାଳ ଓ ପ୍ରତିଦେବତା ସର୍ପ ବୋଲି ମନେ କରାଯାଏ । ତେଣୁ ରାହୁ ସମ୍ବନ୍ଧୀୟ ଦୋଷରୁ ମୁକ୍ତି ପାଇଁ ସର୍ପ ପୂଜାର ପରମ୍ପରା ରହିଛି। ଏହାକୁ ଅନେକ ସ୍ଥାନରେ କାଳସର୍ପ ଦୋଷ ପୂଜା ସହ ଯୋଡ଼ାଯାଏ । କେବଳ ରାହୁ ନୁହେଁ, ନକ୍ଷତ୍ର ସହିତ ମଧ୍ୟ ନାଗଙ୍କ ସମ୍ପର୍କ ରହିଛି । ୨୭ଟି ନକ୍ଷତ୍ର ମଧ୍ୟରୁ ଆଶ୍ଳେଷା ନକ୍ଷତ୍ରର ଦେବତା ଭାବେ ସର୍ପଙ୍କୁ ମାନ୍ୟତା ଦିଆଯାଇଛି । ପ୍ରାଚୀନ ଜ୍ୟୋତିଷ ପରମ୍ପରାରେ ନକ୍ଷତ୍ର ଓ ସେମାନଙ୍କର ବାହନକୁ ଆଧାର କରି ବର୍ଷା ସମ୍ପର୍କରେ ମଧ୍ୟ ଅନୁମାନ କରାଯାଉଥିଲା ।
ପୁରାଣରେ ମଧ୍ୟ ନାଗଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ରାମାୟଣରେ ଭଗବାନ ଶ୍ରୀରାମଙ୍କ ଭାଇ ଲକ୍ଷ୍ମଣଙ୍କୁ ଶେଷନାଗଙ୍କ ଅବତାର ବୋଲି କୁହାଯାଇଛି । ସେହିପରି ମହାଭାରତରେ ଶ୍ରୀକୃଷ୍ଣଙ୍କ ବଡ଼ ଭାଇ ବଳରାମଙ୍କ ସହ ମଧ୍ୟ ଶେଷନାଗଙ୍କ ସମ୍ପର୍କ ରହିଛି । ମହାଭାରତରେ ଅର୍ଜୁନଙ୍କ ନାଗକନ୍ୟା ଉଲୂପୀଙ୍କ ସହ ବିବାହର କଥା ମଧ୍ୟ ଉଲ୍ଲେଖ ରହିଛି । ଏହାସହ ରାଜା ପରୀକ୍ଷିତଙ୍କୁ ତକ୍ଷକ ନାଗ ଦଂଶନ କରିଥିବା କଥା ମହାଭାରତରେ ମିଳେ । ପରୀକ୍ଷିତଙ୍କ ମୃତ୍ୟୁ ପରେ ରାଜା ଜନମେଜୟ ନାଗଯଜ୍ଞ କରିଥିଲେ । କିନ୍ତୁ ଆସ୍ତିକ ଋଷିଙ୍କ ହସ୍ତକ୍ଷେପରେ ଏହି ଯଜ୍ଞ ବନ୍ଦ ହୋଇଥିଲା ଏବଂ ନାଗମାନେ ରକ୍ଷା ପାଇଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ କାଳୀୟ ନାଗ ଦମନର କାହାଣୀ ହେଉ କିମ୍ବା ମେଘନାଦଙ୍କ ନାଗପାଶ—ଭାରତୀୟ ପୁରାଣ ଓ ଲୋକକଥାରେ ନାଗମାନେ ବିଭିନ୍ନ ରୂପରେ ଦେଖାଦେଇଛନ୍ତି । ତେଣୁ ନାଗ ପଞ୍ଚମୀ କେବଳ ସାପ ପୂଜାର ପର୍ବ ନୁହେଁ, ଏହା ଭାରତୀୟ ପୌରାଣିକ ପରମ୍ପରା, ପ୍ରକୃତି ଓ ଲୋକଆସ୍ଥାର ଏକ ଅନନ୍ୟ ସମନ୍ୱୟ ।