ନୂଆଦିଲ୍ଲୀ, ୧୭/୦୮ : ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ତାରାପୀଠ ଥାନା ନିକଟରେ ଥିବା ଏକ ହୋଟେଲରେ ଭୋର ପ୍ରାୟ ୪ଟା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ସମୟରେ ହୋଟେଲରେ ଅଧିକାଂଶ ଲୋକ ଗଭୀର ନିଦରେ ଶୋଇଥିବାରୁ ପରିସ୍ଥିତି ଅଧିକ ଭୟାବହ ହୋଇପଡ଼ିଥିଲା । ଏହି ଅଘଟଣରେ ଅତି କମରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି । ସୂଚନା ଅନୁସାରେ, ଶ୍ରାବଣର ଶେଷ ସୋମବାର ଥିବାରୁ ତାରାପୀଠକୁ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ଆସିଥିଲେ । ଫଳରେ ହୋଟେଲଟି ମଧ୍ୟ ଯାତ୍ରୀଙ୍କରେ ଭରପୂର ଥିଲା । ରାତିରେ ସମସ୍ତେ ଶୋଇଥିବା ସମୟରେ ହଠାତ୍ ନିଆଁ ଲାଗିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।