ନୂଆଦିଲ୍ଲୀ, ୧୭/୦୮ : ଲଖୀସରାୟ ଅଶୋକଧାମ ମନ୍ଦିରରେ ଘଟିଛି ଅଘଟଣ । ଆଜି ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ଦଳାଚକଟା । ଏହି ଦୁଃଖଦ ଘଟଣାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଶ୍ରାବଣ ମାସର ତୃତୀୟ ସୋମବାର ଥିବାରୁ ଅଶୋକଧାମ ମନ୍ଦିରରେ ଭୋରରୁ ହିଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା । ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ମହାଦେବଙ୍କ ଜଳାଭିଷେକ ପାଇଁ ମନ୍ଦିରରେ ପହଞ୍ଚିଥିଲେ । ଭକ୍ତମାନେ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ସମୟରେ ହଠାତ୍ ଏକ ବିଦ୍ୟୁତ୍ ତାର ଖସି ପଡ଼ିଥିଲା । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଆତଙ୍କିତ ଲୋକେ ଏପଟ ସେପଟ ଦୌଡ଼ିବାରୁ ସୃଷ୍ଟି ହୋଇଥିଲା ଦଳାଚକଟା ପରିସ୍ଥିତି । ଭିଡ଼ର ଚାପରେ ଅନେକ ଶ୍ରଦ୍ଧାଳୁ ତଳେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ଆହତ ୧୨ରୁ ଅଧିକ ଲୋକଙ୍କୁ ତୁରନ୍ତ ଲଖୀସରାୟ ସଦର ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି । କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଘଟଣାଟି ସକାଳ ପ୍ରାୟ ୬ଟା ୪୦ରୁ ୬ଟା ୪୫ ମଧ୍ୟରେ ଘଟିଥିଲା । ଭିଡ଼ ବଢ଼ିବାରୁ ମନ୍ଦିର ପାର୍ଶ୍ୱରେ ଥିବା ବ୍ୟାରିକେଡ୍ ଭାଙ୍ଗିଯାଇଥିଲା । ଫଳରେ ଭକ୍ତମାନେ ପରସ୍ପର ଉପରେ ପଡ଼ିଯାଇଥିଲେ । ଦୁଇଟି ଟ୍ରେନ୍ ଅଟକିବା ପରେ ମଧ୍ୟ ମନ୍ଦିର ଅଭିମୁଖେ ଭକ୍ତଙ୍କ ଭିଡ଼ ବଢ଼ିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଘଟଣାର ଖବର ପାଇ ପୁଲିସ, ପ୍ରଶାସନିକ ଅଧିକାରୀ ଓ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଯିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ଶ୍ରାବଣ ସୋମବାର ଭଳି ବଡ଼ ଧାର୍ମିକ ଅବସରରେ ଏଭଳି ଅଘଟଣ ଅନେକ ପ୍ରଶ୍ନ ଉଠାଇଛି ।