କେବେ ବାନ୍ଧିବେ ରାକ୍ଷୀ ? ଜାଣନ୍ତୁ ସଠିକ୍ ତାରିଖ ଏବଂ ସମୟ

ଭୁବନେଶ୍ୱର, ୧୯/୦୮ : ରକ୍ଷା ବନ୍ଧନ ଅତୁଟ ପ୍ରେମ, ବିଶ୍ୱାସ ଏବଂ ଭାଇ ଭଉଣୀଙ୍କୁ ସୁରକ୍ଷା ଦେବା ପାଇଁ ସଂକଳ୍ପର ପ୍ରତୀକ । ଏହି ପର୍ବ ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳିତ ହୁଏ । ରକ୍ଷାର ଅର୍ଥ ‘ସୁରକ୍ଷା’ ଏବଂ ବନ୍ଧନର ଅର୍ଥ ‘ସମ୍ପର୍କ’ । ଏହି ପର୍ବରେ, ଭଉଣୀ ଭାଇର ହାତରେ ଏକ ରକ୍ଷା ସୂତ୍ର ବାନ୍ଧିଥାଏ ଏବଂ ଭାଇ ତାଙ୍କ ଭଉଣୀକୁ ସାରା ଜୀବନ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇଥାଏ । ଏହି ପର୍ବ କେବଳ ଧାର୍ମିକ ଭାବରେ ନୁହେଁ ବରଂ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଭାବପ୍ରବଣ ଭାବରେ ମଧ୍ୟ ପାଳନ କରାଯାଏ । ରାକ୍ଷୀର ସୂତା ହୁଏତ ବହୁତ ପତଳା କିନ୍ତୁ ଏହା ଯେଉଁ ସମ୍ପର୍କକୁ ବାନ୍ଧିଥାଏ, ସେ ସମ୍ପର୍କ ସାରା ଜୀବନ ପାଇଁ ଅଟୁଟ । ଦୂରତା ଯେତେ ବଢ଼ିଯାଉ, ସମୟ ଯେତେ ବଦଳିଯାଉ—ଭାଇ ଓ ଭଉଣୀଙ୍କ ଭଲପାଇବା କେବେ ବଦଳେ ନାହିଁ । ତେବେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ରହିଥିଲା ଅନେକ ଦ୍ଵନ୍ଦ । କେବେ ଏବଂ କେଉଁ ସମୟ ମଧ୍ୟରେ ପାଳନ କରିବା ରକ୍ଷା ବନ୍ଧନ ଯେଉଁ ପ୍ରଶ୍ନର ଉତ୍ତର ଏବେ ମିଳିଯାଇଛି ।

ରାକ୍ଷୀ ପୂର୍ଣ୍ଣିମା କେବେ? ୨୭ ନା ୨୮ ତାରିଖ? ଏହାକୁ ନେଇ ଥିବା ଦ୍ୱନ୍ଦ୍ୱର ଅବସାନ ହୋଇଛି । ଜ୍ୟୋତିର୍ବିଦ୍ ଡଃ ନରେଶ ଚନ୍ଦ୍ର ଦାସଙ୍କ ମତ ଅନୁସାରେ, ସାଧାରଣ ଲୋକେ ୨୭ ତାରିଖରେ ରକ୍ଷାବନ୍ଧନ ପାଳନ କରିପାରିବେ । ଆସନ୍ତା ୨୭ ତାରିଖ ସକାଳ ୯ଟା ୭ ମିନିଟ୍‌ରୁ ପୂର୍ଣ୍ଣିମା ତିଥି ଆରମ୍ଭ ହେବ । ଏହା ୨୮ ତାରିଖ ସକାଳ ୯ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ରହିବ । ତେଣୁ ସାଧାରଣ ଲୋକେ ୨୭ ତାରିଖରେ ଘରେ ରକ୍ଷାବନ୍ଧନ ପାଳନ କରିବା ସହ ପ୍ରଭୁ ବଳଭଦ୍ରଙ୍କ ଜନ୍ମନୀତି ମଧ୍ୟ ପାଳନ କରିପାରିବେ ।

ଅନ୍ୟପଟେ ଶ୍ରୀମନ୍ଦିରରେ ୨୮ ତାରିଖରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମନୀତି ସହ ଶ୍ରୀଜିଉମାନଙ୍କ ରାକ୍ଷୀ ପରିଧାନ ନୀତି ଅନୁଷ୍ଠିତ ହେବ ବୋଲି ପାଞ୍ଜିରେ ଉଲ୍ଲେଖ ରହିଛି । ଅର୍ଥାତ୍ ସାଧାରଣ ଲୋକଙ୍କ ପାଇଁ ୨୭ ତାରିଖରେ ରକ୍ଷାବନ୍ଧନ, ଆଉ ଶ୍ରୀମନ୍ଦିରରେ ୨୮ ତାରିଖରେ ରାକ୍ଷୀ ନୀତି । ଏହା ସହ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ମଧ୍ୟ ଦୂର ହୋଇଛି । ଏହି ପବିତ୍ର ଦିନରେ ସଦାବେଳେ ଭାଇର ମଙ୍ଗଳକାମନା କରିଥାଏ ଉଭଣୀ । ଆଉ ଭାଇ ପ୍ରତ୍ୟେକ କ୍ଷେତ୍ରରେ ନିଜ ଭଉଣୀକୁ ସୁରକ୍ଷା ଦେବ ବୋଲି ପ୍ରତିଜ୍ଞାବଦ୍ଧ ରହିଥାଏ । ତେଣୁ କରିତ ବର୍ଷକୁ ଥରେ ଏହି ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବାକୁ ଚାହିଁ ବସିଥାନ୍ତି ଭାଇ, ଭଉଣୀ ମାନେ । ତେବେ ଚଳିତ ବର୍ଷ ଏହି ପର୍ବକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ଏବେ ଜ୍ୟୋତିର୍ବିଦଙ୍କ ମତ ଅନୁସାରେ ୨୭ ତାରିଖରେ ରକ୍ଷାବନ୍ଧନ ପାଳନ କରିପାରିବେ ସାଧାରଣ ଲୋକେ ।