ନୂଆଦିଲ୍ଲୀ, ୨୨/୦୮ : ତାମିଲ, ତେଲୁଗୁ, ମାଲାୟାଲମ୍ ଓ କନ୍ନଡ଼ ସିନେମାରେ ଅଭିନୟ କରିଥିବା ବରିଷ୍ଠ ଅଭିନେତ୍ରୀ ସୌକାର ଜାନକୀଙ୍କର ପରଲୋକ ଘଟିଛି । ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ବୟସଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ଗତକାଲି ତାଙ୍କୁ ICUରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ନଡିଗର ସଙ୍ଗମର ସଭାପତି ନାସର୍ ସୌକାର ଜାନକୀଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି । ୧୯୩୧ ମସିହା ଡିସେମ୍ବର ୧୨ରେ ଏକ କନ୍ନଡ ପରିବାରରେ ଜନ୍ମ ନେଇଥିବା ସୌକାର ଜାନକୀ ଦକ୍ଷିଣ ଭାରତୀୟ ସିନେମାର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ । ତାଙ୍କର ସାତ ଦଶକରୁ ଅଧିକ ସମୟର ଅଭିନୟ କ୍ୟାରିୟରରେ ସେ ତାମିଲ, ତେଲୁଗୁ, କନ୍ନଡ ଓ ମଲୟାଲମ ଭାଷାର ୪୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଏହା ସହିତ ୩୦୦ରୁ ଅଧିକ ମଞ୍ଚ ନାଟକରେ ମଧ୍ୟ ସେ ଅଭିନୟ କରିଛନ୍ତି । ସୌକାର ଜାନକୀ ଏଲ୍ଭି ପ୍ରସାଦଙ୍କ ନିର୍ଦ୍ଦେଶିତ ତେଲୁଗୁ ଫିଲ୍ମ ଶାଭୁକାରୁ ଜରିଆରେ ଅଭିନୟ ଜଗତରେ ପାଦ ରଖିଥିଲେ । ଫିଲ୍ମଟି ସଫଳ ହେବା ପରେ ତାଙ୍କ ନାମ ସହ ସୌକାର ଶବ୍ଦ ଯୋଡ଼ି ହୋଇଥିଲା । ୧୯୫୨ରେ ଭଲାୟାପତି ଫିଲ୍ମ ମାଧ୍ୟମରେ ସେ ତାମିଲ ସିନେମାରେ ଏଣ୍ଟ୍ରି କରିଥିଲେ । ୧୯୫୯ରେ ରିଲିଜ୍ ହୋଇଥିବା ମହିଷାସୁର ମର୍ଦ୍ଦିନୀ ତାଙ୍କ କ୍ୟାରିୟରର ବଡ଼ ସଫଳ ଫିଲ୍ମ ରହିଥିଲା । ସିନେମା ଓ କଳା କ୍ଷେତ୍ରକୁ ଅବଦାନ ପାଇଁ ସୌକାର ଜାନକୀଙ୍କୁ ଅନେକ ସମ୍ମାନ ମିଳିଛି । ସେ ନନ୍ଦୀ ପୁରସ୍କାର ଓ କଳାଇମାମଣି ସମ୍ମାନ ପାଇଛନ୍ତି । ଭାରତୀୟ ସିନେମା ପ୍ରତି ତାଙ୍କର ଦୀର୍ଘ ଅବଦାନକୁ ସ୍ୱୀକୃତି ଦେଇ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରିଛନ୍ତି ।