ଆପଣମାନେ କେବେ ଭାବିଛନ୍ତି କି, ନବରାତ୍ରି କାହିଁକି ପାଳନ କରାଯାଏ? ଏହି ପର୍ବ ପଛରେ ରହିଛି ଏକ ଅଦ୍ଭୁତ ପୌରାଣିକ କାହାଣୀ ଏବଂ ଜୀବନକୁ ନୂଆ ଦିଗ ଦେଖାଉଥିବା ଏକ ଗଭୀର ବାର୍ତ୍ତା । ନବରାତ୍ରି ଶବ୍ଦର ଅର୍ଥ ହେଉଛି ନଅ ରାତି । ଏହି ନଅ ଦିନ ଓ ରାତିରେ ମା’ ଦୁର୍ଗାଙ୍କ ନଅଟି ସ୍ୱରୂପଙ୍କୁ ପୂଜା କରାଯାଏ । ଏହି ପର୍ବ ମା’ ଦୁର୍ଗାଙ୍କ ଶକ୍ତି, ସାହସ ଓ ମମତାର ପ୍ରତୀକ । ଭକ୍ତମାନେ ମା’ଙ୍କ ଆଶୀର୍ବାଦ ପାଇବା ପାଇଁ ପୂଜାପାଠ, ଉପବାସ ଓ ଭଜନ କରନ୍ତି ।
ପୌରାଣିକ କଥା ଅନୁସାରେ, ମହିଷାସୁର ନାମକ ଏକ ଅସୁର ନିଜ ଶକ୍ତିର ଅହଂକାରରେ ଦେବତା ଓ ମନୁଷ୍ୟମାନଙ୍କୁ ଅତ୍ୟାଚାର କରୁଥିଲା । ତା’ର ଅତ୍ୟାଚାରରୁ ମୁକ୍ତି ଦେବା ପାଇଁ ଦେବୀ ଦୁର୍ଗା ଯୁଦ୍ଧ କରିଥିଲେ ଏବଂ ଶେଷରେ ତାକୁ ପରାସ୍ତ କରିଥିଲେ । ଏହା ଅଧର୍ମ ଉପରେ ଧର୍ମର, ଅନ୍ୟାୟ ଉପରେ ନ୍ୟାୟର ଏବଂ ଅନ୍ଧକାର ଉପରେ ଆଲୋକର ବିଜୟକୁ ସୂଚାଏ । ଏହି ବିଜୟ ଆମକୁ ଶିଖାଏ ଯେ, ସବୁବେଳେ ଭଲର ଜୟ ହୁଏ ଏବଂ ମନ୍ଦର ପରାଜୟ ହୁଏ । ନବରାତ୍ରିର ପ୍ରତ୍ୟେକ ଦିନ ମା’ଙ୍କ ଏକ ଭିନ୍ନ ସ୍ୱରୂପକୁ ସମର୍ପିତ । ଭକ୍ତମାନେ ଉପବାସ, ପୂଜାପାଠ, ଭଜନ ଓ ଧ୍ୟାନ ମାଧ୍ୟମରେ ମା’ଙ୍କ ଆଶୀର୍ବାଦ ଲାଭ କରିବାକୁ ପ୍ରାର୍ଥନା କରନ୍ତି । କିନ୍ତୁ ନବରାତ୍ରିର ପ୍ରକୃତ ମହତ୍ତ୍ୱ କେବଳ ପୂଜାପାଠରେ ସୀମିତ ନୁହେଁ । ଏହା ଆମକୁ ନିଜ ଭିତରେ ଥିବା ଲୋଭ, କ୍ରୋଧ, ଅହଂକାର ଓ ନକାରାତ୍ମକ ଚିନ୍ତାକୁ ଦୂର କରିବାକୁ ମଧ୍ୟ ଶିଖାଏ । ନବରାତ୍ରି କେବଳ ଏକ ପର୍ବ ନୁହେଁ, ଏହା ଆମକୁ ଆଉ ଏକ ବଡ଼ ଶିକ୍ଷା ଦିଏ। ଆମ ମନରେ ଥିବା ରାଗ, ଲୋଭ, ଅହଂକାର ଓ ଖରାପ ଚିନ୍ତାକୁ ଦୂର କରିବା ଉଚିତ ।
ଆଶ୍ୱିନ ଶୁକ୍ଳ ପକ୍ଷରେ ଶାରଦୀୟ ନବରାତ୍ରି ଆଜିଠାରୁ ଆରମ୍ଭ ହେଉଛି । ନବରାତ୍ରି ଆଜିଠାରୁ ଅର୍ଥାତ୍ ୧୧ ଅକ୍ଟୋବରରୁ ଆରମ୍ଭ ହୋଇ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ମାନ୍ୟତା ଅନୁସାରେ ନବରାତ୍ରିର ୯ ଦିନରେ ମା ଦୁର୍ଗା ଏଠାରେ ବାସ କରନ୍ତି । ଭକ୍ତଙ୍କୁ ଆଶୀର୍ବାଦ ନିଅନ୍ତି । ଚଳିତ ବର୍ଷ ନବରାତ୍ରି ରବିବାର ଆରମ୍ଭ ହେଉଥିବାରୁ ମା’ ଦୁର୍ଗା ହାତୀ ଉପରେ ବିରାଜମାନ ହୋଇ ଆସିବେ ବୋଲି ବିଶ୍ୱାସ ରହିଛି । ମା’ଙ୍କ ହାତୀ ଉପରେ ଆଗମନକୁ ଶୁଭ ସଙ୍କେତ ଭାବେ ଗ୍ରହଣ କରାଯାଏ ।
ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ହିମାଳୟଙ୍କର ଝିଅ ହୋଇଥିବାରୁ ତାଙ୍କ ନାମ ଶୈଳପୁତ୍ରୀ । ପୂର୍ବ ଜନ୍ମରେ ତାଙ୍କ ନାମ ସତୀ ଥିଲା ଯିଏକି ଭଗବାନ ଶିବଙ୍କ ପତ୍ନୀ ରହିଥିଲେ । ସତୀଙ୍କ ପିତା ଦକ୍ଷ ପ୍ରଜାପତି ଯେତେବେଳେ ଭଗବାନ ଶିବକୁ ଅପମାନ କରିଥିଲେ, ଏହି କାରଣ ଯୋଗୁଁ ଯଜ୍ଞ ଅଗ୍ନିରେ ନିଜକୁ ଭସ୍ମ କରିଦେଇଥିଲେ ସତୀ । ପରବର୍ତ୍ତୀ ଜୀବନରେ, ଏହି ସତୀ ଶୈଳପୁତ୍ରୀ ହୋଇ କେବଳ ଭଗବାନ ଶିବଙ୍କୁ ବିବାହ କରିଥିଲେ ।
ମା’ଙ୍କୁ ପୂଜା କରିବାର ଉପାୟ :
ପ୍ରଥମ ଦିନରେ ମା’ଙ୍କୁ ପୂଜା କରିବା ସମୟରେ ଲାଲ ବସ୍ତ୍ର ଧାରଣ କରନ୍ତୁ । ତା’ ପରେ ଦେବୀ ମା’ଙ୍କୁ ନାଲି ଫୁଲ, ନାଲି ଫଳ ଅର୍ପଣ କରନ୍ତୁ। ଆପଣ ତମ୍ବା କଏନ ମଧ୍ୟ ଅର୍ପଣ କରିପାରିବେ । ଏହା ପରେ ଓଁ ଦୁର୍ଗାୟ ନମଃ କିମ୍ବା ଓଁ ଶୈଳପୁତ୍ରୟେ ନମଃ ମନ୍ତ୍ର ଜପ କରନ୍ତୁ । ମା’ଙ୍କ ପାଖରେ ଓଁ ଶୈଳପୁତ୍ରୟେ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ତା’ ପରେ ସୂର୍ଯ୍ୟ ମନ୍ତ୍ର ଅତିକମରେ ୩ ମାଳା ଜପ କରିବା ପରେ ତମ୍ବାର ଜିନିଷକୁ ଧାରଣ କରନ୍ତୁ । ମା ଶୈଳପୁତ୍ରୀଙ୍କୁ ପୂଜା କରିବା ଦ୍ୱାରା ସୂର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ମା’ଙ୍କ ପାଖରେ ଶୁଦ୍ଧ ଘିଅରେ ଭୋଗ ଲଗାଇବା ଉଚିତ ।