ଭୁବନେଶ୍ୱର, ୧୬/୧୧ : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିରିପଟାରେ ଚତୁର୍ଥ ମେଗା ସ୍ୱାସ୍ଥ୍ୟ ଶିବିର ଉଦଘାଟିତ । କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ସ୍ୱାସ୍ଥ୍ୟ ମେଳା ଉଦଘାଟିତ । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ତଥା ଆଇପିଏସ ପ୍ରକାଶ ମିଶ୍ର ଯୋଗ ଦେଇ ଡ. ସାମନ୍ତଙ୍କର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । ଶିକ୍ଷାବିତ୍ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ କିମ୍ସ ପକ୍ଷରୁ ଏହି ସ୍ୱାସ୍ଥ୍ୟମେଳାର ଆୟୋଜନ କରାଯାଇଛି । ସମାଜସେବୀ ବିଜୟ ଧଳଙ୍କ ତତ୍ତ୍ବାବଧାନରେ ଆୟୋଜିତ ମେଳାରେ ୧୦ହଜାରରୁ ଉର୍ଦ୍ଧ୍ବ ରୋଗୀମାନଙ୍କ ପାଇଁ ନିଶୁଳ୍କ ଡାକ୍ତରୀ ପରାମର୍ଶ ସହ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଏକ ମାସ ପାଇଁ ମାଗଣା ଔଷଧ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିରେ କିମ୍ସର ୩୦ରୁ ଉର୍ଦ୍ଧ୍ବ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ସମେତ ବିଭିନ୍ନ ବିଭାଗର ଶହେରୁ ଊର୍ଦ୍ଧ୍ୱ ଡାକ୍ତର ଓ ସ୍ୱାସ୍ଥ୍ୟର୍କମୀ ଯୋଗଦେଇ ଲୋକମାନଙ୍କୁ ଚିକିତ୍ସା ପରାମର୍ଶ ସହ ବିନାଦେୟରେ ଔଷଧ ବଣ୍ଟନ ଓ ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ୨୦ଟି ବିଦ୍ୟାଳୟରେ ମା ନିଳିମାରାଣୀ ସ୍ୱଚ୍ଛ ଜଳସେବା ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ।