ଆଜିଠୁ ବିଧାନସଭାର ଶୀତ ଅଧିବେଶନ: ଅପରାହ୍ନରେ ଆସିବ ପ୍ରଥମ ଅତିରିକ୍ତ ବଜେଟ୍

ଭୁବନେଶ୍ୱର, ୧୮/୧୧ : ଆଜିଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନର ପ୍ରଥମ ଦିନରେ ହିଁ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ କରିବେ। ଅନ୍ୟପଟେ ବାତ୍ୟା ଓ ବନ୍ୟା ପରିଚାଳନାରୁ ଆରମ୍ଭ କରି ଚାଷୀ ସମସ୍ୟା, କୋଟିଆ ବିବାଦ ଏବଂ ଆଇନଶୃଙ୍ଖଳା ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ଅଣ୍ଟା ଭିଡ଼ିଛନ୍ତି ଅଧିବେଶନର ପ୍ରଥମ ଦିନରୁ ହିଁ ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ବାତ୍ୟା ଓ ବନ୍ୟାର ମୁକାବିଲା କରିବାରେ ସରକାରଙ୍କ ପରିଚାଳନାଗତ ତ୍ରୁଟି ଏବଂ ପ୍ରସ୍ତୁତିରେ ଅବହେଳା ହୋଇଥିବା ଅଭିଯୋଗ ଆଣିଛି ଦଳ। ଏହି ପ୍ରସଙ୍ଗରେ ଗୃହରେ ସ୍ୱତନ୍ତ୍ର ଆଲୋଚନା ପାଇଁ ବିଜେଡି ପକ୍ଷରୁ ମୋସନ ଦାଖଲ କରାଯାଇଛି।

ଏହାସହ ଭତ୍ତା ବଣ୍ଟନରେ ଦେଖାଦେଇଥିବା ସମସ୍ୟା, କୋଟିଆରେ ଆନ୍ଧ୍ରର ହସ୍ତକ୍ଷେପ, ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି, ଧାନ ପଞ୍ଜିକରଣରେ ଚାଷୀଙ୍କ ସମସ୍ୟା, ଖଣି ଓ ଖଣିଜ ସମ୍ପଦ ଆଇନ (MMDR) ଏବଂ ମହାନଦୀ ଜଳ ବିବାଦ ଭଳି ପ୍ରସଙ୍ଗକୁ ଗୃହରେ ଉଠାଇବାକୁ ବିରୋଧୀ ଯୋଜନା କରିଛନ୍ତି। ବିରୋଧୀଙ୍କ ଅଭିଯୋଗର ମୁକାବିଲା ପାଇଁ ଶାସକ ବିଜେପି ମଧ୍ୟ ନିଜର ରଣନୀତି ପ୍ରସ୍ତୁତ ରଖିଛି। ସରକାରଙ୍କ ବିକାଶମୂଳକ କାର୍ଯ୍ୟ, ଜନକଲ୍ୟାଣକାରୀ ଯୋଜନା ଏବଂ ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା ସଫଳତାକୁ ଗୃହରେ ଉପସ୍ଥାପନ କରିବ ଦଳ। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବା ସହ ସମସ୍ତ ପ୍ରସଙ୍ଗରେ ନିଜର ପକ୍ଷ ରଖିବାକୁ ସରକାର ପ୍ରସ୍ତୁତ ଥିବା କୁହାଯାଇଛି।

ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁସାରେ, ସକାଳ ୧୧ଟାରେ ବିଧାନସଭାର କାର୍ଯ୍ୟ ଆରମ୍ଭ ହେବ। ପ୍ରଥମେ ଶୋକ ପ୍ରସ୍ତାବ ଆଗତ ହେବ। ଏହା ପରେ ପ୍ରଶ୍ନକାଳ ଆରମ୍ଭ ହେବ। ବିଭିନ୍ନ ବିଭାଗ ସମ୍ପର୍କିତ ପ୍ରଶ୍ନ ଉପରେ ମନ୍ତ୍ରୀମାନେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିବେ। ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ସମବାୟ ଏବଂ ଶକ୍ତି ବିଭାଗ ସମ୍ପର୍କିତ ପ୍ରଶ୍ନ ଉପରେ ଆଲୋଚନା ହେବ। ସେହିପରି ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗକୁ ନେଇ ମଧ୍ୟ ବିଧାୟକମାନେ ପ୍ରଶ୍ନ ଉଠାଇବେ।

ଏହି ଅଧିବେଶନର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଏହାକୁ ଗୃହରେ ଉପସ୍ଥାପନ କରିବେ। କେଉଁ ବିଭାଗକୁ କେତେ ଅଧିକ ଅର୍ଥ ମିଳିବ ଏବଂ ସରକାର କେଉଁ କ୍ଷେତ୍ରକୁ ପ୍ରାଥମିକତା ଦେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ବଜେଟ୍ ଉପସ୍ଥାପନ ସହ ବିଭିନ୍ନ ଜନସମସ୍ୟାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ କିଭଳି ଆଲୋଚନା ହେଉଛି, ତାହା ଏହି ଶୀତ ଅଧିବେଶନକୁ ରୋଚକ କରିବାର ସମ୍ଭାବନା ରହିଛି।