ବ୍ରୋକୋଲି ନା ବନ୍ଧାକୋବି, ସ୍ୱାସ୍ଥ୍ୟ ପାଇଁ କିଏ ଅଧିକ ହିତକର ?

ସୁସ୍ଥ ରହିବାକୁ ହେଲେ ଖାଦ୍ୟପେୟରେ ରଖନ୍ତୁ ବିଶେଷ ଧ୍ୟାନ । କାରଣ ଆମେ ଦୈନନ୍ଦିନ ଜୀବନରେ ଯାହା ଖାଉଛେ, ତାହାର ସିଧାସଳଖ ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ସେଥିପାଇଁ ଡାକ୍ତର ଓ ପୁଷ୍ଟିବିଜ୍ଞାନୀମାନେ ନିୟମିତ ଖାଦ୍ୟରେ ସବୁଜ ପନିପରିବା ସାମିଲ କରିବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ବଜାରରେ ମିଳୁଥିବା ଅନେକ ପନିପରିବା ମଧ୍ୟରୁ କେଉଁଟି ଆମ ଶରୀର ପାଇଁ ଅଧିକ ଉପକାରୀ, ତାହା ଜାଣିବା ମଧ୍ୟ ଜରୁରୀ ।

ବିଶେଷକରି ବ୍ରୋକୋଲି ଏବଂ ବନ୍ଧାକୋବି । ଏହି ଦୁଇଟି ପନିପରିବା ଆଜିକାଲି ଅନେକଙ୍କ ଖାଦ୍ୟ ତାଲିକାରେ ସ୍ଥାନ ପାଇଛି। ଦେଖିବାକୁ ଭିନ୍ନ ହୋଇଥିଲେ ମଧ୍ୟ ଉଭୟ ସମାନ କ୍ରୁସିଫେରସ୍ ପରିବା ଅଟନ୍ତି । ଉଭୟରେ ଭିଟାମିନ୍, ମିନେରାଲ୍ସ, ଫାଇବର ଏବଂ ଅନେକ ଉପକାରୀ ପୋଷକ ତତ୍ତ୍ୱ ରହିଛି । ତେବେ ପ୍ରଶ୍ନ ଉଠୁଛି, ବ୍ରୋକୋଲି ଅଧିକ ଲାଭଦାୟକ ନା ବନ୍ଧାକୋବି? କେଉଁଥିରେ ରହିଛି ଅଧିକ ଭିଟାମିନ୍? କେଉଁ ପରିବା ହାର୍ଟ, ହଜମ ପ୍ରକ୍ରିୟା ଏବଂ ରୋଗ ପ୍ରତିରୋଧକ କ୍ଷମତା ପାଇଁ ଅଧିକ ଉପକାରୀ? ଏବଂ ଓଜନ ନିୟନ୍ତ୍ରଣ କରୁଥିବା ଲୋକଙ୍କ ପାଇଁ କେଉଁଟି ଭଲ ବିକଳ୍ପ ?

ପୋଷକ ତତ୍ତ୍ୱ ଦୃଷ୍ଟିରୁ ଉଭୟ ପରିବା ଆମ ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ । ବ୍ରୋକୋଲିରେ କିଛି ବିଶେଷ ଆଣ୍ଟିଅକ୍ସିଡାଣ୍ଟ ଥିବାବେଳେ ବନ୍ଧାକୋବି ମଧ୍ୟ ଫାଇବର ଓ ଭିଟାମିନ୍‌ର ଏକ ଭଲ ଉତ୍ସ । ତେଣୁ କେବଳ ଗୋଟିଏ ପରିବାକୁ ଶ୍ରେଷ୍ଠ ଭାବିବା ପରିବର୍ତ୍ତେ ଉଭୟକୁ ଖାଦ୍ୟରେ ସାମିଲ କରିବା ଅଧିକ ଭଲ । ବ୍ରୋକୋଲି ଏବଂ ବନ୍ଧାକୋବି ମଧ୍ୟରେ ପୋଷକ ତତ୍ତ୍ୱର ତୁଳନା କଲେ କେଉଁଟି ଆଗରେ ରହିଛି ଏବଂ ଏହି ଦୁଇ ପରିବା ଖାଇବା ଦ୍ୱାରା ଶରୀରକୁ କ’ଣ କ’ଣ ଲାଭ ମିଳିଥାଏ ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

୧. ପୋଷକ ତତ୍ତ୍ୱର ତୁଳନାରେ ବ୍ରୋକୋଲିରେ ଭିଟାମିନ୍-ସି, ଭିଟାମିନ୍-କେ, ଭିଟାମିନ୍-ଏ ଏବଂ ଫାଇବର ଭରପୂର ମାତ୍ରାରେ ଥାଏ । ଏଥିରେ ସଲଫୋରାଫେନ୍ ନାମକ ଏକ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ଥାଏ, ଯାହା କର୍କଟ ରୋଗ ସହ ଲଢ଼ିବାରେ ସାହାଯ୍ୟ କରେ । ସେହିପରି ବନ୍ଧାକୋବିରେ କ୍ୟାଲୋରୀ ବହୁତ କମ୍ ଥାଏ । ଏଥିରେ ଭିଟାମିନ୍-ସି, ଭିଟାମିନ୍-କେ ଏବଂ ପ୍ରଚୁର ପରିମାଣର ଫାଇବର ଥାଏ । ଏହା ହଜମ ପ୍ରକ୍ରିୟା ପାଇଁ ବହୁତ ଭଲ ।

୨. ଓଜନ ହ୍ରାସ ପାଇଁ କେଉଁଟି ଭଲ: ଯଦି ଆପଣଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ଓଜନ କମାଇବା, ତେବେ ବନ୍ଧାକୋବି ଏକ ଭଲ ବିକଳ୍ପ ହୋଇପାରେ । ବନ୍ଧାକୋବିରେ ବ୍ରୋକୋଲି ତୁଳନାରେ କମ୍ କ୍ୟାଲୋରୀ ଥାଏ । ୧୦୦ ଗ୍ରାମ ବନ୍ଧାକୋବିରେ ମାତ୍ର ୨୫ କ୍ୟାଲୋରୀ ଥିବାବେଳେ ବ୍ରୋକୋଲିରେ ପ୍ରାୟ ୩୪ କ୍ୟାଲୋରୀ ଥାଏ । ବନ୍ଧାକୋବିରେ ଥିବା ହାଇ ଫାଇବର ଆପଣଙ୍କ ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ଭର୍ତ୍ତି ରଖେ, ଯାହାଦ୍ୱାରା ବାରମ୍ବାର ଭୋକ ଲାଗେ ନାହିଁ । ତଥାପି, ବ୍ରୋକୋଲି ମଧ୍ୟ ଓଜନ ହ୍ରାସରେ ସାହାଯ୍ୟ କରେ କାରଣ ଏହାର ଫାଇବର ମେଟାବୋଲିଜିମକୁ ତ୍ୱରାନ୍ୱିତ କରିଥାଏ ।

୩. ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ବ୍ରୋକୋଲି ବନ୍ଧାକୋବିଠାରୁ ଆଗରେ ରହିଛି । ବ୍ରୋକୋଲି ବନ୍ଧାକୋବି ତୁଳନାରେ ପ୍ରାୟ ଦୁଇଗୁଣ ଅଧିକ ଭିଟାମିନ୍-ସି ଥାଏ । ଆମ ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଭିଟାମିନ୍-ସି ଅତ୍ୟନ୍ତ ଜରୁରୀ । ବ୍ରୋକୋଲିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଶରୀରର କୋଷଗୁଡ଼ିକୁ ନଷ୍ଟ ହେବାରୁ ରକ୍ଷା କରେ ଏବଂ ଭିତରୁ ମଜବୁତ କରେ ।

୪. ହଜମ ଏବଂ ଅନ୍ତଃନଳୀ ସ୍ୱାସ୍ଥ୍ୟ ପାଇଁ ବନ୍ଧାକୋବି ଅଧିକ ଲାଭଦାୟକ । ବନ୍ଧାକୋବି ଅନ୍ତଃନଳୀରେ ଥିବା ଭଲ ବ୍ୟାକ୍ଟେରିଆ ବଢ଼ାଇବାରେ ସାହାଯ୍ୟ କରେ । କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ବନ୍ଧାକୋବି ଖାଇବା ଦ୍ୱାରା ଉପଶମ ମିଳେ । ବ୍ରୋକୋଲି କିଛି ଲୋକଙ୍କ କ୍ଷେତ୍ରରେ ଗ୍ୟାସ୍ ବା ପେଟ ଫାମ୍ପିବା ସମସ୍ୟା ସୃଷ୍ଟି କରିପାରେ, ତେଣୁ ଏହାକୁ ଭଲଭାବେ ସିଝାଇ ଖାଇବା ଉଚିତ୍ ।

୫. ହାର୍ଟ ସ୍ୱାସ୍ଥ୍ୟ ଏବଂ ଚର୍ମ ପାଇଁ ବ୍ରୋକୋଲି ରକ୍ତବାହୀ ନଳୀକୁ ସୁସ୍ଥ ରଖେ ଏବଂ କୋଲେଷ୍ଟ୍ରଲ କମାଇବାରେ ସାହାଯ୍ୟ କରେ । ବନ୍ଧାକୋବିରେ ଥିବା ସଲଫର୍ ଏବଂ ଭିଟାମିନ୍-ସି ଚର୍ମକୁ ଉଜ୍ଜ୍ୱଳ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଓଜନ କମାଇବା ପାଇଁ ବନ୍ଧାକୋବି ଖୁବ୍ ଭଲ ବିକଳ୍ପ । ତେବେ ବନ୍ଧାକୋବିକୁ ସାଲାଡ୍ ବା ସୁପ୍ ଆକାରରେ ଖାଇପାରିବେ । ଇମ୍ୟୁନିଟି ଓ ପୋଷଣ ପାଇଁ ଲାଭକାରୀ ବ୍ରୋକୋଲି ବେଷ୍ଟ ହୋଇଥାଏ ।

ଉଭୟ ପନିପରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ । ଯଦି ଆପଣ ସମ୍ଭବ, ତେବେ ନିଜ ଖାଦ୍ୟରେ ଉଭୟକୁ ସାମିଲ କରନ୍ତୁ। ବ୍ରୋକୋଲି ଟିକେ ମହଙ୍ଗା ହୋଇପାରେ, କିନ୍ତୁ ଏହାର ପୋଷକ ଗୁଣ ଅଧିକ। ଅନ୍ୟପଟେ ବନ୍ଧାକୋବି ସହଜରେ ଉପଲବ୍ଧ ଏବଂ ଶସ୍ତା, ଯାହା ଓଜନ ନିୟନ୍ତ୍ରଣ ପାଇଁ ଏକ ଶ୍ରେଷ୍ଠ ବିକଳ୍ପ । ଏହି ଦୁଇଟିକୁ ସାଲାଡ୍, ସୁପ୍ କିମ୍ବା କମ୍ ତେଲରେ ରନ୍ଧା ଯାଇଥିବା ତରକାରୀ ଭାବେ ଖାଇବା ସବୁଠାରୁ ଭଲ ।