ନୂଆଦିଲ୍ଲୀ,୧୦/୫: କରୋନାଭାଇରସ୍ ଲକଡାଉନ କାରଣରୁ ଭାରତୀୟ ନୌସେନା ଜାହାଜ ‘ଆଇଏନଏସ ମଗର’ ରବିବାର ଦିନ ମାଲଦ୍ୱୀପରେ ପହଞ୍ଚିଛି | ସମସ୍ତ କୋଭିଡ-୧୯ ସତର୍କତା ଅବଲମ୍ବନ କରି ଜାହାଜ ସେଠାରୁ ପ୍ରାୟ ୨୦୦ ପ୍ରବସେୀ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବ | ତେବେ ପ୍ରବାସୀ ଭାରତୀୟଙ୍କୁ ଆଣିବା ପାଇଁ ଜାହାଜ ଭିତରେ କରାଯାଇଥିବା ପ୍ରସ୍ତୁତିର କିଛି ଝଲକ ଏବେ ସାମ୍ନାକୁ ଆସିଛି |
ଯାତ୍ରୀମାନଙ୍କ ପାଇଁ ଜାହାଜରେ ଏକ ପୃଥକ ବିଭାଗ ପ୍ରସ୍ତୁତ କରାଯାଇଛି | ମହିଳା, ଶିଶୁ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଅଲଗା ଅଲଗା କୋଠରୀ ଆବଣ୍ଟନ କରାଯାଇଛି। ଡାଇନିଂ ହଲ୍, ବାଥରୁମ୍ ପରି ସାଧାରଣ ଅଞ୍ଚଳରେ ଭିଡ଼ ନହେବା ପାଇଁ ଲୋକଙ୍କୁ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ କରି ଅତିରିକ୍ତ ସତର୍କତା ଅବଲମ୍ବନ କରାଯାଇଛି |
ସୂଚନା ମୁତାବକ, କିଛି ଦିନ ମଧ୍ୟରେ ମାଲଦ୍ୱୀପକୁ ଯାଇଥିବା ଏହା ହେଉଛି ଦ୍ୱିତୀୟ ନୌସେନା ଜାହାଜ। “ଅପରେସନ୍ ସମୁଦ୍ର ସେତୁ” ନାମକ ଏକ ବୃହତ୍ ପ୍ରତ୍ୟାବର୍ତ୍ତନ ମିଶନ ଅଧୀନରେ ନୌସେନାର ଆମ୍ଫିବିୟସ୍ ଯୁଦ୍ଧ ଜାହାଜ ‘ଆଇଏନ୍ଏସ୍ ଜଲସ୍ଵ’ ଗୁରୁବାର ଦିନ ମାଲଦ୍ୱୀପରେ ପହଞ୍ଚିଥିଲା। ଆଜି ସେହି ଜାହାଜଟି ୬୯୮ ଜଣଙ୍କୁ ଧରି କୋଚିରେ ପହଞ୍ଚିଛି |
ପ୍ରବାସୀ ଭାରତୀୟଙ୍କୁ ଆଣିବା ପାଇଁ ଡିଜାଇନ୍ ହୋଇଥିବା ‘ଆଇଏନଏସ ମଗର’, ମାଲଦ୍ୱୀପ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସାଧାରଣ ନାଗରିକଙ୍କୁ ଆରାମରେ ଆଣିବା ପାଇଁ ବେସ୍ ପୋର୍ଟ କୋଚିରେ ସମସ୍ତ ଆବଶ୍ୟକୀୟ ଲଜିଷ୍ଟିକ୍, ଡାକ୍ତରୀ ଏବଂ ପ୍ରଶାସନିକ ପ୍ରସ୍ତୁତି କରିଥିଲା ବୋଲି ଜଣା ପଡିଛି |