ଜୁଲାଇ ୧୫ ସୁଦ୍ଧା ସ୍କୁଲରେ ନାମଲେଖା ଶେଷ କରିବାକୁ ନିର୍ଦେଶ

ଭୁବନେଶ୍ବର,୬/୬ : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ନାମଲେଖା ପ୍ରକ୍ରିୟା ୧୫ ଜୁଲାଇ ସୁଦ୍ଧା ଶେଷ କରିବାକୁ ବିିଭାଗ ପକ୍ଷରୁ ସମସ୍ତ ଜିଲା, ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ଜରିଆରେ ଅବଗତ କରାଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, କରୋନା ଯୋଗୁଁ ମାର୍ଚ୍ଚ ୨୦ରୁ ବିଦ୍ୟାଳୟ ବନ୍ଦ ରହିଛି। କରେନା ସ୍ଥିତିକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ପରୀକ୍ଷା ପରିବ​‌େ​‌ର୍ତ୍ତ ପରବତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ପାଇଁ ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ସାମାଜିକ ଦୂରତା ବଜାୟ ରଖି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ନାମଲେଖା ଅନୁଷ୍ଠିତ ହେବ। ପ୍ରାଥମିକ ଓ ମାଧ୍ୟମିକ ଛାତ୍ରଛାତ୍ରୀ ଏହି ସମୟରେ ନାମ ଲେଖାଇପାରିବେ। ସକାଳ ୭ଟାରୁ ୯ଟା ୩୦ ମଧ୍ୟରେ ନାମ ଲେଖାଇପାରିବେ। ଏହି ପ୍ରକ୍ରିୟା ସମସ୍ତ କାର୍ଯ୍ୟ ଦିବସରେ ଚାଲିବ। ତେବେ ଏକାଥରେ ୫ ଜଣ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଅନୁମତି ମିଳିବ। ସରକାରଙ୍କ ଦ୍ବାରା ଜାରି କୋଭଡ-୧୯ ନିୟମାବଳୀକୁ ସମସ୍ତେ ସଠିକ୍‌ ଭାବେ ପାଳନ କରିବେ। ଉଭୟ ଅଭିଭାବକ ଓ ବିଦ୍ୟାର୍ଥୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରାଯାଇଛି। ଓଡ଼ିଶା ଶିକ୍ଷା ସଂଯୋଗ ଗ୍ରୁପ ଜରିଆରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନାମଲେଖା ସମୟରେ ବିଦ୍ୟାଳୟ ପକ୍ଷରୁ ଅବଗତ କରାଇବେ ଓ ବିଦ୍ୟାଳୟ ନୋଟିସ୍‌ ବୋର୍ଡରେ ମଧ୍ୟ ସୂଚନା ପ୍ରଦାନ କରାଯିବ। ଏହି ନିୟମ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ମାଦ୍ରାସା, ସଂସ୍କୃତ ଟୋଲ କ୍ଷେତ୍ରରେ ଲାଗୁ ହେବ। ନାମଲେଖା ସମ୍ବନ୍ଧୀୟ ଅନ୍ୟ ନିୟମାବଳୀ ଗୁଡ଼ିକ ଅପରିବର୍ତ୍ତିତ ରହିଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।