ଭୁବନେଶ୍ୱର,୭ /୧୧- (ପ୍ରଦୀପ୍ତ କୁମାର ଦାସ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ବନବିଭାଗର ଦୁଇ ଆକାଉଣ୍ଟାଣ୍ଟ୍ ଙ୍କ ଘରେ ଭିଜିଲାନସ ଚଢ଼ାଉ କରାଯାଇଛି । ତେବେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ଡିଭିଜନ ପକ୍ଷରୁ ବ୍ରହ୍ମପୁର ବନଖଣ୍ଡ ଏବଂ ଚିଲିକା ୱାଇଲ୍ଡ ଲାଇଫ(ବାଲୁଗାଁ) ବନଖଣ୍ଡର ଦୁଇ ଆକାଉଣ୍ଟାଣ୍ଟ ଙ୍କ ଘର ଏବଂ ଉଭୟଙ୍କର ଲିଙ୍କ ଥିବା ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି । ବ୍ରହ୍ମପୁର ଭିଜିଲାନସ କେସ ନଂ ୪/୨୦୨୦ରେ ଚିଲିକା ୱାଇଲ୍ଡ ଲାଇଫ୍ ଡ଼ିଭିଜନ,ବାଲୁଗାଁର ଜୁନିୟର ଆକାଉଣ୍ଟାଣ୍ଟ ନବୀନ ଚନ୍ଦ୍ର ବିଷୋୟୀଙ୍କ ବ୍ରହ୍ମପୁର ନୀଳକଣ୍ଠନଗର ତୃତୀୟ ଲାଇନ୍ ଘର,ବାଲୁଗାଁ କାର୍ଯ୍ୟାଳୟ ଚାମ୍ବର, ଚିଲିକା ଫରେଷ୍ଟ ଗେଷ୍ଟ ହାଉସ୍ରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ତେବେ ଚଢ଼ାଉ ପରେ ତାଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତିର ପରିମାଣ ଭିଜିଲାନସ ବିଭାଗ ପକ୍ଷରୁ ପ୍ରଦାନ କରାଜାଇଛି ।
ବ୍ରହ୍ମପୁର ନୀଳକଣ୍ଠନଗର ତୃତୀୟ ଗଳିରେ ଥିବା ଘରର ମୂଲ୍ୟ ୯୬ଲକ୍ଷ ୪୦ହଜାର ୫୯୮ ଟଙ୍କା,ଜଟଣି ବଡ଼ରଘୁନାଥପୁର ମୌଜାରେ ଥିବା ୨ଟି ପ୍ଲଟ୍ ଯାହାର ମୂଲ୍ୟ ୩୨ହଜାର, ୫ ଲକ୍ଷ ୯୫ହଜାର ୨ଶହ ଟଙ୍କାର ଘର ସାମଗ୍ରୀ,୯୦ହଜାର ୫ଶହ ଟଙ୍କା ସୁନା ଏବଂ ରୂପା ଅଳଙ୍କାର,୫ ଲକ୍ଷ ୧୦ ହଜାର ୩୯୯ ଟଙ୍କାର ବିଭିନ୍ନ ବ୍ୟାଙ୍କରେ ଡ଼ିପୋଜିଟ୍,୧ ଲକ୍ଷ ୪୧ହଜାର ୧୭୨ ନଗଦ ଟଙ୍କା,ଗୋଟିଏ ବାଇକ ଯାହାର ମୂଲ୍ୟ ୯୩ହଜାର ଟଙ୍କା ଆକଳନ କରାଯାଇଛି । ତାଙ୍କର ସମୁଦାୟ ସଂପତ୍ତି ୧ କୋଟି ୧୧ ଲକ୍ଷ ୨ହଜାର ୮୭୬ ଟଙ୍କା ଆକଳନ କରିଛି ଭିଜିଲାନସ ବିଭାଗ।ସେ ୧୯୭୯ ରୁ ଜୁନିୟର କ୍ଲର୍କ ଭାବେ ଚାକିରୀ ଆରମ୍ଭ କରି ଚିଲିକା ଡ଼ିଭିଜନରେ କାର୍ଯ୍ୟରତ ଅଛନ୍ତି।ସେହିପରି ଆୟ ବର୍ହିଭୂତ ମାମଲା ନଂ ୫/୨୦୨୦ ଅନୁଯାୟୀ ୱାରେଣ୍ଟ ବଳରେ ବ୍ରହ୍ମପୁର ବନଖଣ୍ଡ ତଥା ବ୍ରହ୍ମପୁର ଡ଼ିଏଫ୍ଓ ଅଫିସରେ କାର୍ଯ୍ୟରତ ଜୁନିୟର ଆକାଉଣ୍ଟାଣ୍ଟ ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କ ବ୍ରହ୍ମପୁର କମାପଲ୍ଲୀ ନୃସିଂହ ମନ୍ଦିର ସାହିରେ ଥିବା ତିନି ମହଲା ଘର,ବ୍ରହ୍ମପୁର ତହସିଲ୍, ଆଙ୍କୁଲି ମୌଜା ବାବାଜୀ ଢ଼ାବା ନିକଟରେ ଥିବା ଆସିଆନା ଆପର୍ଟମେଣ୍ଟର ଫ୍ଲାଟ୍,ବ୍ରହ୍ମପୁର ଅଫିସ୍ ଚାମ୍ବରରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ ହୋଇଥିଲା ।
ସ୍ଥାବର ସଂପତ୍ତି ମଧ୍ୟରେ ନୃସିଂହ ମନ୍ଦିର ସାହିରେ ଥିବା ତିନି ମହଲା ଘର ଯାହାର ମୂଲ୍ୟ ୩୬ ଲକ୍ଷ ୫୨ହଜାର ୩୧୨ ଟଙ୍କା,ଆସିଆନା ଆପାର୍ଟମେଣ୍ଟରେ ଥିବା ପ୍ଲାଟ୍ର ମୂଲ୍ୟ ୧୨ଲକ୍ଷ ୩୮ହଜାର ୫୨୦ ଟଙ୍କା, ଆଙ୍କୁଲି ମୌଜାରେ ଥିବା ଏକ ଜାଗା ଯାହାର ମୂଲ୍ୟ ୧ଲକ୍ଷ ୧୭ହଜାର ୬୮୩ ଟଙ୍କା,ପଥରା ମୌଜାରେ ଥିବା ଏକ ଜାଗା ଯାହାର ମୂଲ୍ୟ ୨ ଲକ୍ଷ ୮୩ହଜାର ୩୫୦ ଟଙ୍କା ଆକଳନ କରାଯାଇଛି । ଅସ୍ଥାବର ସଂପତ୍ତି ଭାବେ ୨ ଲକ୍ଷ ୮୭ହଜାର ୮୫୦ ଟଙ୍କାର ବିଭିର୍ନ ଘର ସଜ୍ଜା ତଥା ଗୃହ ଉପକରଣ,୩ ଲକ୍ଷ ୨୧ହଜାର ୫୬୮ ଟଙ୍କାର ବିଭିନ୍ନ ବ୍ୟାଙ୍କ ରେ ଥିବା ଡ଼ିପୋଜିଟ୍ ଓ ନଗଦ ୩୯ହଜାର ୬୫୦ ଟଙ୍କା ଜବତ ହୋଇଛି । ତେବେ ସମୁଦାୟ ସଂପତ୍ତିର ପରିମାଣ ୫୯ ଲକ୍ଷ ୭୦ହଜାର ୯୯୩ ଟଙ୍କା ବୋଲି ଆକଳନ କରାଯାଇଛି । ଶ୍ରୀ ତ୍ରିପାଠୀ ୧୯୯୩ ମସିହାରେ ଚାକିରି ଜୀବନ ଆରମ୍ଭ କରି ବ୍ରହ୍ମପୁର ଡ଼ିଏଫଓ ଅଫିସ୍ରେ ଜୁନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି.ଏନେଇ ଦୁଇଟିଯାକ ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।