ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟେଷ୍ଟ ଦଳରେ ରୋହିତ ଶର୍ମା ସାମିଲ

ନୂଆଦିଲ୍ଲୀ, ୯/୧୧ : ଭାରତୀୟ କ୍ରିକେଟ ଟିମର ଅଷ୍ଟ୍ରେଲିଆ ଗସ୍ତକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି । ପୂର୍ବରୁ ଚୟନ ହୋଇଥିବା ଦଳରୁ ବାଦ ପଡିଥିଲେ ରୋହିତ । ଜାନୁଆରୀରେ ଦଳର ଅଧିନାୟକ ବିରାଟ କୋହଲି ପିତା ହେବାକୁ ଯାଉଥିବାରୁ ଏହି ଶୁଭ ମୁହୂର୍ତ୍ତରେ ସେ ତାଙ୍କ ଗର୍ଭବତୀ ସ୍ତ୍ରୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ରହିବାକୁ ଚାହୁଁଛନ୍ତି । ତେଣୁ ଉଭୟ ଦଳ ମଧ୍ୟରେ ଆଡିଲେଡରେ ହେବାକୁ ଥିବା ପ୍ରଥମ ଟେଷ୍ଟ ପରେ ବିରାଟ ଘରକୁ ଫେରିବେ। ତେବେ ନୂଆ ଟେଷ୍ଟ ସ୍କ୍ୱାଡ୍ ଅନୁଯାୟୀ, ଟେଷ୍ଟ ଦଳରେ ରୋହିତଙ୍କୁ ସାମିଲ୍‌ କରାଯାଇଛି। ରୋହିତଙ୍କୁ ଦିନିକିଆ ଓ ଟି-୨୦ ଦଳରେ ସାମିଲ୍ କରାଯାଇନାହିଁ। କାରଣ ରୋହିତଙ୍କୁ ସୀମିତ ଓଭର ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଛି। କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ଟେଷ୍ଟ ଟିମରେ ନେତୃତ୍ୱ ନେବେ। ଭାରତର ଅଷ୍ଟ୍ରେଲିଆ ଗସ୍ତରେ ତିନୋଟି ଦିନିକିଆ ରହିଥିବା ବେଳେ ଟି -୨୦ ଆନ୍ତର୍ଜାତୀୟ ଏବଂ ଚାରିଟି ଟେଷ୍ଟ ରହିଛି । ନଭେମ୍ବର ୨୭ ରୁ ଆରମ୍ଭ ହେବ । ଡିସେମ୍ବର ୧୭ ରେ ଆଡିଲେଡରେ ଆରମ୍ଭ ହେବ ଟେଷ୍ଟ ।