ଯାଜପୁରରୁ ୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଯାଜପୁର : ଯାଜପୁରରୁ ଆଜି ୩୧ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ଯାଜପୁର ଅବକାରୀ ବିଭାଗ।

ସୂଚନା ଅନୁସାରେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କାର୍ଡର ନେତୃତ୍ବ ନେଇ ଇନସପେକ୍ଟର ସ୍ବପ୍ନାରାଣୀ ସାହୁ ସଦଳେବଳେ ଯାଜପୁର ରୋଡ ଥାନା ଚୂନ ଭାଟି ପ୍ଲଟ ଅଂଚଳରେ ଚଢାଉ କରିଥିଲେ।

ଏହି ଚଢ଼ାଉ ବେଳେ ସେଠାରୁ ୩୧ ଗ୍ରାମ ବ୍ରାଉନ ସୁଗାର ସହ ଗୋଟିଏ କାର ଏବଂ କାରବାରରେ ସଂପୃକ୍ତ ୩ ଜଣ ଆସାମୀଙ୍କୁ ଗିରଫ କରିଥିଲେ। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଚଢାଉ ସମୟରେ ଯାଜପୁର ରୋଡ ଥାନା ଅଞ୍ଚଳର ଅଜୁ ଦାସ(୩୫), ନାରାୟଣ ଦାସ(୨୮), ବରୀ ଥାନା ଅଞ୍ଚଳର ମନୋଜ କୁମାର ଦାସଙ୍କୁ ଗିରଫ କରା ଯାଇଛି।

ତେବେ ଏହାକୁ ଅନ୍ୟ ଅଂଚଳକୁ ବେପାର ପାଇଁ ପଠା ଯାଉଥିବା ଅନୁମାନ କରାଯାଉଛି। ତେବେ ବ୍ରାଉନସୁଗାର କେଉଁ ଠାରୁ ଆସିଥିଲା ସେ ନେଇ ତଦନ୍ତ ଜାରି ରହିଛି ବୋଲି ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶ ସୂଚନା ଦେଇଛନ୍ତି। ଏହି ଚଢାଉରେ କ୍ଷୀରୋଦ ସାହୁ, ଯଯାତୀ ପଣ୍ଡା, ଏସ ଆଇ ବାସନ୍ତୀପ୍ରଭା ନାୟକ, ବିଜୟଲକ୍ଷ୍ମୀ ଦାସ, ଜୋତି ପ୍ରକାଶ ବେହୁରିଆ, ବିପିନ ପ୍ରଧାନ, ସରୋଜ ବେହେରା ପ୍ରମୁଖ ସାମିଲ ହୋଇଥିଲେ।