ମୁମ୍ବାଇ : ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟ୍ରେଲର ରିଲିଜ ହେବାର କିଛି ଦିନ ପରେ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଥିଲା। ଯାହା ପରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଫିଲ୍ମ ରିଲିଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲେ। ତାଜା ଖବର ଅନୁଯାୟୀ, ପ୍ରଶଂସକମାନେ ଖୁବ ଶୀଘ୍ର ଏହି ଫିଲ୍ମକୁ ବଡ ପରଦାରେ ଦେଖିପାରିବେ ।
ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଏପ୍ରିଲରେ ମୁକ୍ତିଲାଭ କରିବ। ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ ରୋହିତ ଶେଟ୍ଟୀଙ୍କ ଏହି ଫିଲ୍ମ ଏପ୍ରିଲ ୨, ୨୦୨୧ରେ ଶୁକ୍ରବାର ଦିନ ମୁକ୍ତିଲାଭ କରିବ। ବର୍ତ୍ତମାନ ଫିଲ୍ମର ନିର୍ମାତା ଥିଏଟର ମାଲିକଙ୍କ ସହ ଫିଲ୍ମ ରିଲିଜ୍ ପାଇଁ ଆଲୋଚନା କରୁଛନ୍ତି।
ଏହି ଚଳଚ୍ଚିତ୍ରର ଅଫିସିଆଲ୍ ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ସୂର୍ଯ୍ୟବଂଶୀ ଉଭୟ ଥିଏଟର ଏବଂ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବାର ଯୋଜନା ରହିଛି। ଲକଡାଉନ୍ ପରେ ସିନେମା ହଲରେ ରିଲିଜ ହେବାକୁ ଥିବା ଏହା ପ୍ରଥମ ବଡ ଚଳଚ୍ଚିତ୍ର ହେବ ବୋଲି ଜଣାପଡିଛି । ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ଅଭିନେତ୍ରୀ କ୍ୟାଟ୍ରିନା କୈଫ, ଜ୍ୟାକି ଶ୍ରଫ, ଜାଭେଦ୍ ଜାଫ୍ରି ଏବଂ ସିକନ୍ଦର ଖେର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ ଏବଂ ରଣବୀର ସିଂ ମଧ୍ୟ ଭିନ୍ନ ଅବତାରରେ ଦେଖାଦେବେ । ‘ସୂର୍ଯ୍ୟବଂଶୀ’ରେ ରୋହିତ ସେଟ୍ଟୀ ପୁଣି ଥରେ ପୋଲିସ୍ ଜୀବନର ଏକ ନୂଆ କାହାଣୀ ଆଣୁଛନ୍ତି। ସୂଚନା ଅନୁଯାୟୀ, ଫିଲ୍ମରେ ଅକ୍ଷୟଙ୍କ ଜଣେ ଏଟିଏସ୍ ଅଧିକାରୀଙ୍କ ଭୂମିକାରେ ନଜର ଆସିବେ । ଏଥିରେ ସିମ୍ବା, ସିଂହମ ଏବଂ ସୂର୍ଯ୍ୟବଂଶୀ ଏକ ମିଶନରେ ଏକାଠି କାମ କରିବେ ।