ରାଷ୍ଟ୍ରପତି ନିଜର ପୈତୃକ ଗାଁ ପରୋଙ୍ଖରେ ପହଞ୍ଚିଲେ

କାନପୁର ,୨୫।୬: ଆଜି ରାଷ୍ଟ୍ରପତି ସ୍ଵତନ୍ତ୍ର ଟ୍ରେନ ଯୋଗେ ସନ୍ଧ୍ୟା ୬ଟା ୧୦ରେ କାନପୁର ଦେହାତ ଜିଲ୍ଲାର ଝିଝକ ରେଳ ଷ୍ଟେସନରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ହେବ ପରେ ରାମନାଥ କୋବିନ୍ଦ ପ୍ରଥମ ଥର କାନପୁର ଜିଲ୍ଲା ନିଜର ପୈତୃକ ଗାଁ ପରୋଙ୍ଖ ଗସ୍ତ କରିଛନ୍ତି। ଏଠାରେ ଲୋକଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ମୁଁ ଆପଣଙ୍କ ଆଶୀର୍ବାଦ ନେବା ପାଇଁ ଆସିଛି। ମୋତେ ରେଲଓ୍ଵେ ଷ୍ଟେସନର ପ୍ରତିଟି ମୁହୂର୍ତ୍ତ ମନେ ଅଛି। ରାଷ୍ଟ୍ରପତି ନିଜ ଶୈଳୀରେ କହିଛନ୍ତି, ଯେବେ ମୁଁ ସାଂସଦ ଥିଲି ତେବେ ଝିଝକ ରେଲଓ୍ଵେ ଷ୍ଟେସନରେ ଅନେକ ଟ୍ରେନ୍ ଅଟକି ରହୁଥିଲା। ମାତ୍ର ପରେ ପରିବର୍ତ୍ତନ ଘଟିଲା ଟ୍ରେନ ନିୟମିତ ଭାବେ ଦିନ ରାତି ଗଡି ଚାଲିଲା । ସମ୍ଭବତଃ କରୋନା କାରଣରୁ ପୁଣି ଥରେ ଏମିତି ଘଟିଥିବା ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକଙ୍କୁ କହିଛନ୍ତି , ଆପଣଙ୍କ ସହିତ ମୋର ଦୂରତା ଅଧିକ ନୁହେଁ। ହଁ ଏହା ସତ ଯେ ପ୍ରୋଟୋକଲ ଆଧାରରେ କିଛି ଦୂରତା ରହିଛି। କିନ୍ତୁ ଆପଣ ନିଜ କଥା ମୋ ପାଖରେ ପହଞ୍ଚାଇ ପାରିବେ। ଦେଶରେ ସ୍ଵାଧୀନତା ପରେ ବହୁତ ବିକାଶ ଘଟିଛି। ଆମ ସମସ୍ତଙ୍କ ଦାୟିତ୍ଵ ଦେଶ ବିକାଶରେ ସହଯୋଗ କରିବା। ଅନେକ ଥର ଦେଖିବାକୁ ମିଳିଛି ଯେ, କିଛି ଲୋକ ଧାରଣା ପ୍ରଦର୍ଶନ ସମୟରେ ଟ୍ରେନ ଅଟକାଇଥାନ୍ତି। ଆଉ କେଉଁଠି ଟ୍ରେନରେ ନିଆଁ ଲଗାଇ ଦିଅନ୍ତି। ଏହା ସଂପୂର୍ଣ୍ଣ ଭୁଲ୍। କ୍ଷଣିକ ଆବେଗରେ ଆସି ଏମିତି ପଦକ୍ଷେପ ନେବା କଦାପି ଗ୍ରହଣୀୟ ନୁହେଁ ବୋଲି କୋବିନ୍ଦ କହିଛନ୍ତି।

ଅନ୍ୟପଟେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ୍ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସନ୍ଧ୍ୟାରେ କାନପୁର ପହଞ୍ଚିଛନ୍ତି। ରାଜ୍ୟପାଳ ଓ ଯୋଗୀ ଆଦିତ୍ୟନାଥ ଏଠାରେ ରାଷ୍ଟ୍ରପତିଙ୍କ ସ୍ଵାଗତ କରିଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତିଙ୍କୁ ନିଜର ପୈତୃକ ଗାଁ ଯିବାକୁ ବହୁ ଦିନରୁ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ଥିଲା। କିନ୍ତୁ କରୋନା ମହାମାରୀ କାରଣରୁ ଏଥିରେ ବିଳମ୍ବ ଘଟିଲା।