ନୂଆଦିଲ୍ଲୀ: ୧୪୭ଦିନ ପରେ ଦେଶରେ କମିଲା କରୋନା ସଂକ୍ରମଣ। କରୋନା ଭୂତାଣୁର ଦ୍ବିତୀୟ ଲହର ଦେଶବାସୀଙ୍କୁ କଲବଲ କରିଥିବା ବେଳେ ଏହି ଲହରରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିଲେ। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଟିକାକରଣ ଆରମ୍ଭ କରିଥିଲେ। ଏବେ ୧୪୭ଦିନ ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଟିକେ କମ ରହିଥିବା ଦେଖାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣ ସଂଖ୍ୟା ୩୦ ହଜାରରୁ କମ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୩ ଶହରୁ କମ୍ ରହିଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୮,୨୦୪ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩୭୩ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୧୯,୯୮,୧୫୮ ଓ ମୃତ୍ୟୁସଂଖ୍ୟା ୪,୨୮,୬୯୨ରେ ପହଞ୍ଚିଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୪୧,୫୧୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୧,୮୦,୯୬୮ରେ ପହଞ୍ଚିଛି।
ଏହା ଛଡା, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୮୮, ୫୦୮। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟାରେ ୫୪,୯୧,୬୪୭ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୫୧,୪୫,୦୦,୨୬୮ ଜଣଙ୍କୁ ଟିକା ଦିଆଯାଇସାରିଛି।